ନୂଆଦିଲ୍ଲୀ– ପ୍ରଥମ ଥର ଭାରତ ନିଜର ୩ ସେନାକୁ ଋଷିଆର ରାଜଧାନୀ ମସ୍କୋରେ ରେଡ ସ୍କାୟାରରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ପରେଡକୁ ପଠାଇବ । ଏପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ ଭାରତର ସ୍ଥଳସେନା ଅଂଶଗ୍ରହଣ କରୁଥିଲା । କିନ୍ତୁ ଏଥର ଜୁନ ୨୪ରେ ଅନୁଷ୍ଠିତ ହେବାକୁ ଥିବା ପରେଡରେ ତିନି ସେନାର ଯବାନମାନେ ଅଂଶଗ୍ରହଣ କରିବେ । ଋଷିଆ ଏହି କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ ପଠାଇଥିଲା । ମହାମାରୀ କରୋନା ଭାଇରସ କାରଣରୁ ପ୍ରଧାନମନ୍ତ୍ରୀ ଯିବା ସୁନିଶ୍ଚିତ ହୋଇ ନାହିଁ । କିନ୍ତୁ ଭାରତର ତିନି ସେନା ନିଜର ବଳ ପ୍ରଦର୍ଶନ କରିବେ । ଋଷିଆ ସିହତ ଘନିଷ୍ଠ ସଂପର୍କ ରଖିବା ଯୋଗୁଁ ଚୀନର ଚିନ୍ତା ବଢ଼ିଯାଇଛି ।
ଋଷିଆରେ ପ୍ରତିବର୍ଷ ମେ’ ମାସ ୯ତାରିଖରେ ବିଜୟ ଦିବସ ଅବସରରେ ପରେଡ ଆୟୋଜିତ ହୋଇଥାଏ । କିନ୍ତୁ ଚଳିତ ବର୍ଷ କରୋନା ଭାଇରସ ପାଇଁ ନିର୍ଦ୍ଧାରିତ ତାରିଖରେ ଆୟୋଜନ ହୋଇପାରି ନାହିଁ । ୧୯୪୫ରେ ନାଜୀ ଜର୍ମାନୀଙ୍କ ଆତ୍ମସମର୍ପଣ ପାଇଁ ଏହାକୁ ପାଳନ କରାଯାଇଥାଏ । ଗତ ବର୍ଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ନରେନ୍ଦ୍ର ମୋଦୀଙ୍କୁ ପରେଡ କାର୍ଯ୍ୟକ୍ରମରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ । ତାଙ୍କର ସ୍ଥାନରେ ଜଳ, ସ୍ଥଳ ଓ ବାୟୁସେନାର ୭୦ରୁ ୮୦ ଜଣ ଯବାନ ଜୁନ ୧୯ରେ ମସ୍କୋ ଅଭିମୁଖେ ଯାତ୍ରା କରିବେ । ଚଳିତ ବର୍ଷ ଋଷିଆରେ ୭୫ତମ ବିଜୟ ଦିବସ ପାଳନ ହେଉଛି