-
୨୦ରୁ ଦୈନିକ ୧୮ ହଜାର କରୋନା ଟେଷ୍ଟ ,୧୫ ମିନିଟ୍ ରେ ଆସିବ ରିପୋର୍ଟ
ନୂଆଦିଲ୍ଲୀ– ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣର ଅନିୟନ୍ତ୍ରିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରୀ ଅମିତ ଶାହା ସୋମବାର ଏକ ସର୍ବଦଳୀୟ ବୈଠକ କରିଛନ୍ତି । ଏହି ସଭାରେ ଶାହା କହିଛନ୍ତି ଯେ ରାଜନୈତିକ ଭେଦଭାବ ଭୁଲି କରୋନା ଯୁଦ୍ଧ ଲଢିବାକୁ ହେବ । ବୈଠକର ନିଷ୍ପତି ଅନୁଯାୟୀ ଦିଲ୍ଲୀ କେବଳ କମ୍ ମୂଲ୍ୟରେ କରୋନା ପରୀକ୍ଷା କରିବ ନାହିଁ ବରଂ ୧୫ ମିନିଟରେ କରୋନା ରିପୋର୍ଟ ମଧ୍ୟ ବାହାରିବ । ଜୁନ୍ ୨୦ ରୁ ଦୈନିକ ୧୮,୦୦୦ ପରୀକ୍ଷା କରାଯିବ ଏବଂ ରିସ୍କ ଜୋନ୍ ଗୁଡିକରେ ଘରକୁ ଘର ମ୍ୟାପିଂ ହେବ ।
ପ୍ରାୟ ଦେଢ ଘଂଟା ଧରି ଚାଲିଥିବା ଏହି ବୈଠକରେ ଆମ୍ ଆଦମୀ ପାର୍ଟି , କଂଗ୍ରେସ ଏବଂ ବିଜେପିର ନେତାମାନେ ଅଂଶଗ୍ରହଣ କରିଥିଲେ । ଏହା ବ୍ୟତୀତ କେନ୍ଦ୍ର ଗୃହ ସଚିବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ, ଦିଲ୍ଲୀର ମୁଖ୍ୟ ସଚିବ ଏବଂ ଦିଲ୍ଲୀ ସରକାରଙ୍କ ମୁଖ୍ୟ ସଚିବ ସ୍ୱାସ୍ଥ୍ୟ ମଧ୍ୟ ଉପସ୍ଥିତ ଥିଲେ । ଦିଲ୍ଲୀ ବିଜେପି ସଭାପତି ଆଦେଶ ଗୁପ୍ତା ପରୀକ୍ଷା ଖର୍ଚ୍ଚରେ ୫୦ ପ୍ରତିଶତ ଛାଡ ଦାବି କରିଛନ୍ତି, ଯାହାକୁ ଗୃହମନ୍ତ୍ରୀ ଶାହା ଅନୁମୋଦନ ଦେଇଛନ୍ତି । ଏହି ବୈଠକରେ କଂଗ୍ରେସ ରାଜ୍ୟ ସଭାପତି ଅନିଲ ଚୌଧୁରୀ କହିଛନ୍ତି ଯେ ସମସ୍ତେ ଦିଲ୍ଲୀରେ କରୋନା ପରୀକ୍ଷା କରିବା ଉଚିତ୍ । ସଂକ୍ରମିତ କିମ୍ବା ବିପଦସଙ୍କୁଳ ଅବସ୍ଥାରେ ଥିବା ପରିବାରକୁ ୧୦ ହଜାର ଟଙ୍କା ଦିଆଯିବା ଉଚିତ୍ । ଦିଲ୍ଲୀରେ ସର୍ବାଧିକ ସଂଖ୍ୟକ ଲୋକଙ୍କ ମଧ୍ୟରେ କରୋନା ପରୀକ୍ଷା କରାଯିବା ନେଇ ବିଜେପି ଏବଂ କଂଗ୍ରେସ ଆଲୋଚନା କରିଥିଲେ ।
ଉଲ୍ଲେଖ୍ୟଯୋଗ୍ୟ ଯେ ଦିଲ୍ଲୀରେ ବିଗିଡିଥିବା କରୋନା କରୋନା ସ୍ଥିତିକୁ ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କର ଏହା ତୃତୀୟ ବୈଠକ । ଏହାପୂର୍ବରୁ ରବିବାର ସକାଳେ ସେ ଦିଲ୍ଲୀର ଲେଫ୍ଟନାଂଟ ଗଭର୍ଣ୍ଣର ଅନିଲ ବୈଜଲ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମସ) ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ଇତ୍ୟାଦିଙ୍କ ସହ ଏକ ବୈଠକ କରିଥିଲେ । ରବିବାର ସନ୍ଧ୍ୟାରେ ମେୟରମାନଙ୍କ ସହ ଆଲୋଚନା କରିଥିଲେ ଯାହା ଦ୍ୱାରା କରୋନାରେ ପରିସ୍ଥିତି ନିୟନ୍ତ୍ରିତ ହୋଇପାରିବ ।