ତିନି ରଥର ଦୁଇଟି ଲେଖାଏଁ ଦୁଆର ଘଡ଼ା ଆଗଆଣି ଓ ପଛଆଣି ଫିଟିଙ୍ଗ ହୋଇ ସେଥିରେ ଦୁଇଟି ଲେଖାଏଁ ନାଟ ଗୋଡ଼ ସଂଯୋଗ କରାଯାଇଛି । ପରେ ଆଉ ଦୁଇଟି ଲେଖାଏଁ ପାଶ୍ୱର୍ ଦ୍ୱାର ଘଡ଼ା ଲାଗିଛି । ସେହିପରି ପ୍ରତି ରଥର ଆଗ ଓ ପଛ ଦୁଆର ପଟା ନିର୍ମାଣ ହୋଇ ରଙ୍ଗ କାର୍ଯ୍ୟ ଜାରୀ ରହିଛି । ସେହିପରି ତିନି ରଥର ସିଂହାସନ ଖୋଦେଇ ହୋଇ ରଙ୍ଗ କାର୍ଯ୍ୟ ଜାରୀ ରହିଛି । ତିନି ରଥର ପ୍ରଭା ଗୁଡିକରେ ରାହୁ ରୂପ ଓ ମଗର ମୁଖ ଅଙ୍କନ ହୋଇ ଖୋଦେଇ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି । ତିନି ରଥର ଶ୍ରୀବିଗ୍ରହ ମାନଙ୍କ ବିଜେ ସ୍ଥଳ ବା ବେଦୀ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ହେଲେ ଆଜି କାମ ଆରମ୍ଭରୁ ବର୍ଷା ବାଧକ ସାଜିଛି । ଫଳରେ ରଥ ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ହୋଇପାରିନାହିଁ । ସେହିପରି ବର୍ଷା ଯୋଗୁଁ ବଡ଼ଦାଣ୍ଡ କିଛି ଘଂଟା ଧରି ଜଳ ମଗ୍ନ ହୋଇପଡି ଥିବା ଦେଖିବାକୁ ମିଳିଛି । ସ୍ଥାନେ ସ୍ଥାନେ ଆଣ୍ଠୁଏରୁ ଉଚ୍ଚରେ ପାଣି ଜମି ରହିଛି । ରଥଖଳାରେ ପାଣି ପଶିଛି । ଏଥିଯୋଗୁ ରଥ ନିର୍ମାଣ କାର୍ଯ୍ୟ ପ୍ରଭାବିତ ହୋଇଛି ।
ମହାରଣା ସେବକ, ଓଝା ସେବକ, ଚିତ୍ରକର, ରୂପକାର ସେବକ ସମସ୍ତେ ବର୍ଷା ଛାଡିବାକୁ ଅପେକ୍ଷା କରି ରହିଛନ୍ତି । ବର୍ଷା ଛାଡିବା ପରେ ରଥ ନିର୍ମାଣ କାର୍ଯ୍ୟ ପୁନଃ ସ୍ୱାଭାବିକ୍ ହେବା ଆଶା କରାଯାଉଛି ।