-
ଗୋଷ୍ଠୀ ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନର ଏଭଳି ନିଷ୍ପତ୍ତି
ବ୍ରହ୍ମପୁର: ସମସ୍ତ ପ୍ରକାର ପ୍ରଚେଷ୍ଟା ଓ ସଚେତନତା ସତ୍ତ୍ୱେ ଗଞ୍ଜାମ ଜିଲ୍ଲାରେ କରୋନା ନିୟନ୍ତ୍ରଣକୁ ଆସିପାରିନାହିଁ । ଏଣୁ ଏହାର ମୁକାବିଲା କରିବା ପାଇଁ ଜିଲ୍ଳା ପ୍ରଶାସନ ପୁଣି ଥରେ କଠୋର ନିଷ୍ପତ୍ତି ନେଇଛନ୍ତି । ଏଣିକି ପ୍ରତିଦିନ ସକାଳ ୭ଟାରୁ ପୂର୍ବାହ୍ନ ୧୨ଟା ପର୍ଯ୍ୟନ୍ତ ହିଁ ଖୋଲା ରହିବ କିଛି ନିର୍ଦ୍ଦିଷ୍ଟ ଦୋକାନ ବଜାର । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପ୍ରକାରେ ପୂର୍ବରୁ ପ୍ରତି ଶନିବାର ଓ ରବିବାର ସମଗ୍ର ଜିଲ୍ଲା ସଡ୍ ଡାଉନ୍ ରହୁଛି ଏବଂ ତାହା ବଳବତର ମଧ୍ୟ ରହିବ । ତେବେ ଆସନ୍ତା କାଲି ଠାରୁ ସୋମବାରରୁ ଶୁକ୍ରବାର ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ କେବଳ ପନିପରିବା, ଫଳ ଓ ତେଜରାତି ଦୋକାନ ଖୋଲା ରହିବ । ତେବେ ପେଟ୍ରୋଲ ପମ୍ପ ପୂର୍ବ ପରି ଖୋଲା ରହିବ ସହ ଔଷଧ ଦୋକାନ ମଧ୍ୟ ଖୋଲା ରହିବ । ଜିଲ୍ଲାରେ ୧୯ଘଣ୍ଟିକା ସଡ୍ ଡାଉନ୍ ସୋମବାର ଠାରୁ ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହି ସମୟରେ ଗାଡି ଚଳାଚଳକୁ ସମ୍ପୂର୍ଣ୍ଣ ନିଷ୍ପତ୍ତି କରି ଦିଆଯାଇଛି । ବସ୍, ଅଟୋ, ଟ୍ୟାକ୍ସି ଓ ମୋଟର ସାଇକେଲ୍ ଆଦି ଚଳାଚଳକୁ ବାରଣ କରାଯାଇଛି । ତେବେ ରେଳ ଷ୍ଟେଶନ୍ରୁ ଯାତ୍ରୀଙ୍କୁ ଆଣିବା ପାଇଁ ଗାଡି ବ୍ୟବହାର କରାଯାଇପାରିବ । ଅନ୍ୟପଟେ ପାସ୍ ଧାରୀମାନେ ଘରୁ ବାହାରକୁ ଯାଇପାରିବେ ବୋଲି ରବିବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅନ୍ୟପଟେ ଯେଉଁମାନେ ନିୟମକୁ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରାଏ ସୂଚନା ଦେଇଛନ୍ତି । ପୂର୍ବରୁ ଏହି କଟକଣା ରହିଥିବା ବେଳେ ପରବର୍ତ୍ତୀ ସମୟରେ କଟକଣାକୁ କୋହଳ କରାଯାଇଥିଲା । ତେବେ ଏବେ ପୁଣି ଥରେ ସେହି କଟକଣାକୁ ଲାଗୁ କରାଯାଇଛି । ଏଣୁ ନିହାତି ଆବଶ୍ୟକ ନପଡିଲେ ଘରୁ ନବାହାରିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ନିବେଦନ କରିବା ସହ ସମସ୍ତ ସରକାରୀ ନିୟମକୁ ପାଳନ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେଙ୍କ ସମେତ ଗଞ୍ଜାମ ଏସ୍ପି ଶ୍ରୀ ରଏ ଉପସ୍ଥିତ ଥିଲେ । ସୂଚନାଥାଉକି, ରବିବାର ସକାଳୁ ଜିଲ୍ଲାପାଳ ଜିଲ୍ଲାର ବରିଷ୍ଠ ଅଧିକାରୀ ଯଥା ଜିଲ୍ଳା ପ୍ରକଳ୍ପ ନିର୍ଦ୍ଦେଶଇ ଇଂ.ସିଦ୍ଧାର୍ଥଶଙ୍କର ସ୍ୱାଇଁ, ୨ଅତିରିକ୍ତ ଜିଲ୍ଲାପାଳ, ବିଏମ୍ସି କମିଶନର ଚକ୍ରବର୍ତ୍ତି ସିଂ ରାଥୋଡ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କ ସହ ଅନ୍ୟାନ୍ୟ ଅଧିକାରୀଙ୍କ ସହ ୧୯ଘଣ୍ଟିଆ ସଡ୍ ଡାଉନ୍ ଘୋଷଣା ପୂର୍ବରୁ ଆଲୋଚନା କରିଥିଲେ । ଜିଲ୍ଳାପାଳ ଦେଇଥିବା ସୂଚନା ପ୍ରକାରେ ବର୍ତ୍ତମାନ ଜିଲ୍ଲାକୁ ୨ଲକ୍ଷରୁ ଊର୍ଦ୍ଧ୍ୱ ଭାରତର ବିଭିନ୍ନ ରାଜ୍ୟ ଓ ଦେଶ ବାହାରେ ଥିବା ହଟ୍ ସ୍ପଟ୍ରୁ ଗଞ୍ଜାମକୁ ଆସିଛନ୍ତି । ସେମାନଙ୍କ ମଧ୍ୟରୁ କେତେକ କ୍ୱରଣ୍ଟାଇନ୍ରେ ଥିବାବେଳେ ଅନ୍ୟକେତେକ କ୍ୱରଣ୍ଟାଇନ୍ର ଅବଧି ସାରି ନିଜ ଘରକୁ ଫେରିଛନ୍ତି । ଫଳରେ ଗୋଷ୍ଠୀ ସଂକ୍ରମଣ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଜିଲ୍ଲାବାସୀଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ୧୯ଘଣ୍ଟିଆ ସଡ୍ ଡାଉନ୍ ଘୋଷଣା କରିବାକୁ ବାଧ୍ୟ ହୋଇଛି ।ଏହା ଫଳରେ ଗୋଷ୍ଠୀ ସଂକ୍ରମଣ ରୋକାଯିବା ସହ କରୋନା ଭୁତାଣୁ ସଂକ୍ରମଣକୁ ରୋକିବାରେ ସହାୟକ ହୋଇପାରିବ ବୋଲି ସେ ଟ୍ୱିଟ୍କରି ସୂଚନା ଦେଇଛନ୍ତି । ୧୯ଘଣ୍ଟିଆ ସଡ୍ ଡାଉନ୍ ସମୟରେ ସ୍ୱାସ୍ଥ୍ୟଜନୀତ କାରଣରେ ଯାତାୟାତକୁ ସ୍ୱୀକୃତି ମିଳିଥିବା ବେଳେ ଗାଡି ମୋଟର ଚଳାଚଳ, ଗହଳିକୁ ବାରଣ କରାଯାଇଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ ନେଇ ଯାତାୟାତ କରୁଥିବା ସମସ୍ତ ଗାଡି ଚଳାଚଳ ସହ ରେଳୱାଇ ଷ୍ଟେଶନ୍ରୁ ବସ୍, ଅଟୋ, ଟେକ୍ସି ଚଳାଚଳ କରିପାରିବ । ଜିଲ୍ଲାରେ ବସ୍, ଅଟୋ, ଟେକ୍ସି ଚଳପ୍ରଚଳ ଉପରେ ଜିଲ୍ଲା ପ୍ରଶାସନ ରୋକ୍ ଲଗାଇଛି । ଏହାସହ ଜିଲ୍ଲାରେ ଗ୍ରାମାଞ୍ଚଳରେ ଥିବା ମନେରେଗାଁ, କୃଷି ଜାତୀୟ କାର୍ଯ୍ୟ ଚାଲୁ ରହିବ । ସରକାରୀ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟ ଚାଲୁ ରହିବା ସହ ସହରୀ ମଜୁରୀ ରୋଜଗାର(ଅର୍ବାନ ୱେଜ୍ ଏମ୍ପେ୍ଲାଏମେଣ୍ଟ ପୋଗ୍ରାମ) ସହ ସ୍ୱାସ୍ଥ୍ୟ ସମ୍ବର୍ନ୍ଧୀ ସମସ୍ତ ସେବା ପୂର୍ବଭଳି ଚାଲୁ ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେହିଭଳି ବ୍ରହ୍ମପୁର ମହାନଗର ନିଗମରେ ଥିବା ସମସ୍ତ ରେଷ୍ଟୁରାଣ୍ଟ ମାଲିକଙ୍କୁ ହୋମ୍ ଡେଲିଭେରି ପାଇଁ ଅନୁମତି ମିଳିଛି । ରେଷ୍ଟୁରଣ୍ଟରେ ବସି ଖାଇବା ପାଇଁ ମନା କରିବା ସହ ହୋମ୍ ଡେଲିଭେରି କରୁଥିବା ବଏମାନେ ମାସ୍କ ପିନ୍ଧିବା ସହ ଗ୍ଲୋବସ୍ ଓ ସାନିଟାଇଜର ବ୍ୟବହାର କରିବା ପାଇଁ ବାଧ୍ୟତା କରାଯାଇଛି ।