ବ୍ରହ୍ମପୁର: ଗତ କିଛିଦିନ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଠର ପଦକ୍ଷେପ ନେବା ଏବେ ଆବଶ୍ୟକତା ଦେଖାଦେଇଛି । ଅନ୍ୟାନ୍ୟ ରାଜ୍ୟ ତଥା ଦେଶ ବାହାରରୁ ସର୍ବାଧିକ ସଂଖ୍ୟକ ପ୍ରବାସୀ ଏହି ଜିଲ୍ଲାକୁ ଆସିଛନ୍ତି । ଆସିବାପରେ ଏହି ସଂଖ୍ୟା ବୃଦ୍ଧି ପାଇଥିବା କୁହାଯାଇଛି । କରୋନା ଭାଇରସ୍ ବିସ୍ତାରକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ବିଭିନ୍ନ ଉଦାହରଣମୂଳକ ପଦକ୍ଷେପ ନେଇଛି । ଏପରିକି ରାଜ୍ୟସ୍ତରରେ ମଧ୍ୟ ପ୍ରଶଂସା ପାଇଛି । ବର୍ତ୍ତମାନ ଏହାକୁ ଅଧିକ କଠୋର କରିବା ସହ ଗୋଷ୍ଠୀ ସଂକ୍ରମଣକୁ ରୋକ ଲଗାଇବାକୁ ହେଲେ ଅଧିକରୁ ଅଧିକ କୋଠର ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି । ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର ଓ କର୍ଣ୍ଣାଟକରୁ ଫେରିବା ପରେ ସେମାନଙ୍କ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଇବା ସହ ଶୃଙ୍ଖଳା ଭାଙ୍ଗୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଲୋକେ ଦାବି କରିଛନ୍ତି । ଏହି ମର୍ମରେ ଗଞ୍ଜାମ ଜିଲ୍ଲା ଫୋରମ୍ ଫୋର ଗଞ୍ଜାମର ସଂଯୋଜକ ସୁଧିର କୁମାର ରାଉତ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇବା ସହ ଏହାର ନକଲ ମୁଖ୍ୟମନ୍ତ୍ରୀ ଓ ସୁବ୍ରତ ବାଗ୍ଚିଙ୍କୁ ପଠାଇଛନ୍ତି । ଏହାସହ ଜିଲ୍ଲାକୁ ସଡ୍ ଡାଉନ୍ ଓ ଲକ୍ ଡାଉନ୍ ଘୋଷଣାକରି ଗୋଷ୍ଠୀ ସଂକ୍ରମଣ ରୋକିବା ଦିଗରେ ପ୍ରଶାସନ ବିହିତ ପଦକ୍ଷେପ ଆପଣାଉ ବୋଲି ସେ ନିବେଦନ କରିଛନ୍ତି । ସେହିପରି ମାନବାଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ କୁମାର ଗୟା ଗଞ୍ଜାମ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ କୋଭିଡ ସଂକ୍ରମଣକୁ ରୋକିବା ପାଇଁ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ଗତ ମାର୍ଚ୍ଚ ୨୪ତାରିଖରେ ସମଗ୍ର ଦେଶରେ ଲକ୍ ଡାଉନ୍ପରେ ଆମ ଜିଲ୍ଲାର ପ୍ରଶାସନିକ ତତ୍ପରତା ଯୋଗୁ କରୋନା ସଂକ୍ରମଣର ସଚେତନତା ଓ ମାକ୍ସ ସଚେତନତା ସହ ପୋଲିସ ବିଭାଗର କାର୍ଯ୍ୟ ପ୍ରଶଂସିତ ଥିଲା । ବର୍ତ୍ତମାନ କିଛି ଅମାନିଆ ଏହାର ନୀତି ନିୟମକୁ ମାନୁ ନାହାଁନ୍ତି ଓ ଲକ୍ ଡାଉନ୍, ସଡ୍ ଡାଉନ୍କୁ ଗୁରୁତ୍ୱ ଦେଉନାହାଁନ୍ତି । ସେମାନଙ୍କ ଅବହେଳା ଅନ୍ୟମାନଙ୍କ ଜୀବନ ଜୀବୀକାକୁ ବିପଦରେ ପକାଇପାରେ । ଏପରିସ୍ଥିତିରେ ଦିନରାତି ସଂକ୍ରମଣକୁ ରୋକିବା ପାଇଁ ଯେଉଁମାନେ କାର୍ଯ୍ୟ କରୁଛନ୍ତି ଯଥା- ପ୍ରଶାସନିକ ଅଧିକାରୀ, ପୋଲିସ ଅଧିକାରୀ, ସ୍ୱାସ୍ଥ୍ୟ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ଓ ସ୍ୱେଚ୍ଛାସେବୀଙ୍କ କୌଣସି ମୂଲ୍ୟ ରହୁନାହିଁ । ତେଣୁ ଏହି ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ କଠୋର ପଦକ୍ଷେପ ନେବା ଆବଶ୍ୟକ ପଡିଥିବା ସେ ପତ୍ର ମାଧ୍ୟମରେ ଜିଲ୍ଳାପାଳଙ୍କୁ ଅନୁରୋଧ କରିଛନ୍ତି ।