ନୂଆଦିଲ୍ଲୀ– ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶୁକ୍ରବାର ୩ ଲକ୍ଷ ଟପିଛି । ବିଶ୍ୱର ସର୍ବାଧିକ କରୋନା ଭାଇରସ ପ୍ରଭାବିତ ଦେଶମାନଙ୍କର ସୂଚୀରେ ଭାରତ ଚତୁର୍ଥ କ୍ରମରେ ରହିଛି । କିନ୍ତୁ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ କହିଛନ୍ତି, ଦେଶର ଜନସଂଖ୍ୟା ବହୁତ ଥିବାରୁ ପଜିଟିଭ ସଂଖ୍ୟା ବଢ଼ିଛି । କିନ୍ତୁ ଆମେ ଯଦି ପ୍ରତି ୧୦ ଲକ୍ଷ ଲୋକସଂଖ୍ୟା ଦୃଷ୍ଟିରୁ ଆମେରିକା, ବ୍ରାଜିଲ ଓ ଋଷିଆକୁ ତୁଳନା କରିବା ତା’ହେଲେ ଭାରତରେ କରୋନା ସଂକ୍ରମିତ ରୋଗୀଙ୍କର ସଂଖ୍ୟା କମ ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ସକାଳୁ ଜାରି ହୋଇଥିବା ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା (ଗୁରୁବାର ସକାଳ ୮ଟାରୁ ଶୁକ୍ରବାର ସକାଳ ୮ଟା ପର୍ଯ୍ୟନ୍ତ) ଭାରତରେ କରୋନା ଭାଇରସରେ ପୀଡ଼ିତ ରୋଗୀଙ୍କ ସଂଖ୍ୟା ୩ ଲକ୍ଷ ୧ ହଜାର ୫୯୭ ହୋଇଛି । ବିଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୦ ହଜାର ୯୫୬ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ସର୍ବାଧିକ ୩୯୬ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି । ଦେଶରେ ଏଯାଏଁ ୧ ଲକ୍ଷ ୪୯ ହଜାର ୭୬୭ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ୧ ଲକ୍ଷ ୪୩ ହଜାର ୨୫୯ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ହେଉଛି ୮ ହଜାର ୫୫୩ ଜଣ ।
ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ଏକ ଲକ୍ଷ ଅତିକ୍ରମ କରିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୪୯୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୧ ଲକ୍ଷ ୧ ହଜାର ୧୪୧ରେ ପହଞ୍ଚିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୧୨୭ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଭାଇରସରେ ମୃତକଙ୍କ ସଂଖ୍ୟା ହେଉଛି ୩ ହଜାର ୭୧୭ ।