ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ ବାର୍ତ୍ତା ଜରିଆରେ ୬ଷ୍ଠ ଥର ପାଇଁ ଆଲୋଚନା କରିବେ । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ୨ ଦିନ ଯାଏଁ ଚାଲିବ । ଏଥି ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇସାରିଛି ।
ପୂରା ଦେଶରେ କରୋନା ଭାଇରସ ନିଜର ରୂପ ଦେଖାଇଛି । ଜୁନ ମାସର ୧୨ ଦିନ ଅତିକ୍ରାନ୍ତ କରିଥିବା ବେଳେ ଦେଶରେ କରୋନା ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଅତିକ୍ରମ କରିସାରିଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ଓ ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ଭାଇରସ ପଜିଟିଭ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆସନ୍ତା ଜୁନ ୧୬ ଓ ୧୭ ତାରିଖ ଅପରାହ୍ନ ୩ଟାରେ ମୋଦୀ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭିଡିଓ ବାର୍ତ୍ତା ଜରିଆରେ କଥା ହେବେ । ତେବେ ପ୍ରଧାନମନ୍ତ୍ରୀ ମୋଦୀ କେଉଁ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀମାନଙ୍କ ସହିତ କଥା ହେବେ, ତାହା ଏବେ ଠାରୁ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି ।
ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଅତିକ୍ରମ କରିସାରିଛି । କରୋନାର ପ୍ରକୋପ ନିୟନ୍ତ୍ରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଗତ ମାର୍ଚ୍ଚ ୨୪ରେ ୨୧ ଦିନ ପାଇଁ ଦେଶବ୍ୟାପୀ ଲକଡାଉନ ଘୋଷଣା କରିଥିଲେ । ଏହା ପରେ ୩ଥର ଲକଡାଉନ ବୃଦ୍ଧି କରାଯାଇଛି । ଜୁନ ୮ ତାରିଖରେ ଅନଲକ-୧ରେ କିଛି କଟକଣାକୁ କୋହଳ କରି ଦିଆଯାଇଛି ।
ପ୍ରଧାନମନ୍ତ୍ରୀ ମୋଦୀ ଜୁନ ୧୬ରେ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳମାନଙ୍କ ସହିତ କଥାହେବେ । ଏଥିରେ ପଂଜାବ, ଆସାମ, କେରଳ, ଉତ୍ତରାଖଣ୍ଡ, ଛତିଶଗଡ଼, ତ୍ରିପୁରା, ହିମାଚଳ ପ୍ରଦେଶ, ଚଣ୍ଡିଗଡ଼, ଗୋଆ, ମଣିପୁର, ନାଗାଲାଣ୍ଡ, ଲଦାଖ, ପଣ୍ଡିଚେରୀ, ଅରୁଣାଚଳ ପ୍ରଦେଶ, ମେଘାଳୟ, ମିଜୋରାମ, ଆଣ୍ଡାମାନ ନିକୋବର ଦୀପପୁଂଜ, ଦାଦ୍ରାନଗର ହାବେଳୀ ଓ ଡାମନଡିଉ, ସକ୍କିମ ଓ ଲାକ୍ଷାଦ୍ୱୀପ ।
ସେହିଭଳି ପ୍ରଧାନମନ୍ତ୍ରୀ ମୋଦୀ ଜୁନ ୧୭ରେ ୧୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳମାନଙ୍କ ସହିତ କଥା ହେବେ । ସେ ସେଦିନ ଓଡ଼ିଶା, ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ, ଗୁଜୁରାଟ, ରାଜସ୍ଥାନ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ବିହାର, ଆନ୍ଧ୍ରପ୍ରଦେଶ, ହରିୟାଣା, ଜମ୍ମୁ କଶ୍ମୀର ଓ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳମାନଙ୍କ ସହ କଥାହେବେ ।