ନୂଆଦିଲ୍ଲୀ– ପାକିସ୍ତାନର ରାୱଲପିଣ୍ଡି ସହରର ଏକ ବ୍ୟସ୍ତ ବହୁଳ ବଜାରରେ ଶୁକ୍ରବାର ବୋମା ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣ ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ବିସ୍ଫୋରଣ ଘଟଣା ପାକିସ୍ତାନୀ ସେନା ମୁଖ୍ୟ କାର୍ଯ୍ୟାଳୟ ନିକଟରେ ଘଟିଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି । ପୋଲିସ ମୁଖପାତ୍ର ସାଜିଦୁଲ ହାସନ କହିଛନ୍ତି, ଏହି ବିସ୍ଫୋରଣ ସହରର ସଦର ବଜାର ଅଂଚଳରେ ହୋଇଛି । ପ୍ରାଥମିକ ରିପୋର୍ଟ ଅନୁସାରେ ବିସ୍ଫୋରକ ସାମଗ୍ରୀକୁ ଏକ ବିଦ୍ୟୁତ ଖୁଣ୍ଟରେ ଖଞ୍ଜା ଯାଇଥିଲା । ପୋଲିସ ଓ ଇନଫୋରସମେଣ୍ଟ ଘଟଣାସ୍ଥଳକୁ ସିଲ କରିଦେଇଛନ୍ତି ।
ବିସ୍ଫୋରକସ୍ଥଳ ନିକଟରେ ବ୍ୟାପକ ପରିମାଣରେ ଜିନିଷ ପତ୍ର ନଷ୍ଟ ହୋଇଛି । ସୁରକ୍ଷା ଅଧିକାରୀମାନେ ବିସ୍ଫୋରଣସ୍ଥଳକୁ ଘେରାବନ୍ଦୀ କରିଛନ୍ତି । ପରେ ଗୁରୁତରମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ମୁଖପାତ୍ର କହିଛନ୍ତି ଯେ, ତଦନ୍ତକାରୀ ଓ ଫୋରେନ୍ସିକ ସାଇନ୍ସ ଲ୍ୟାବର କର୍ମଚାରୀମାନେ ପ୍ରମାଣକୁ ଏକତ୍ର କରୁଛନ୍ତି । ସେ କହିଛନ୍ତି, ସଂଗଠିତ ଆତଙ୍କଦ୍ୱାରା ବିସ୍ଫୋରଣ ଉଦ୍ୟମ ହୋଇଛି । ରିପୋର୍ଟ ଲେଖାଯିବା ବେଳକୁ ଘଟଣାକୁ ନେଇ କେହି ନିଜକୁ ଦାୟୀ କରିନାହାନ୍ତି ।