-
ଜଣେ ଘରେ, ଜଣେ ହସ୍ପିଟାଲରେ
ବ୍ରହ୍ମପୁର: ବ୍ରହ୍ମପୁର କୋଭିିଡ ହସ୍ପିଟାଲରେ ସୁରଥ ଫେରନ୍ତାଙ୍କ ମୃତ୍ୟୁପରେ ସାନଭାଇ ଆଣିଲେ ଚିକିତ୍ସା ଅବହେଳା ଅଭିଯୋଗ । ଗଞ୍ଜାମ ଜିଲ୍ଲାରେ ଶୁକ୍ରବାର ୨ଜଣ ସୁରଥ ଫେରନ୍ତାଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ ଜଣେ ଘରେ ପ୍ରାଣ ହରାଇଥିବା ବେଳେ ଅନ୍ୟଜଣଙ୍କର କୋଭିଡ ହସ୍ପିଟାଲରେ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ସନ୍ତୋଷ ବରାଡ(୫୨) ଓ ପ୍ରଭାକର ଗୌଡ(୪୦) । ସୂଚନା ଅନୁସାରେ, ଶୁକ୍ରବାର ଦିନ ଟାଟା କୋଭିଡ ହସ୍ପିଟାଲରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଖଇରପୁଟି ଗ୍ରାମର ସନ୍ତୋଷ ବରାଡଙ୍କ ମୃତ୍ୟୁ ହୋଇଛି । ସନ୍ତୋଷ ଗତ ମେ ମାସ ୩୦ତାରିଖରେ ଗୁଜୁରାଟର ସୁରଥରୁ ଫେରିଥିଲେ । ସେ କ୍ଷେତ୍ରୀୟବ୍ରହ୍ମପୁର ପଞ୍ଚାୟତ ପ୍ରତାପଲକ୍ଷଣପୁର ଗ୍ରାମରେ ଥିବା ଓଡ଼ିଆ ଆଦର୍ଶ ବିଦ୍ୟାଳୟର ସଙ୍ଗରୋଧ କେନ୍ଦ୍ରରେ ଥିଲେ । କିନ୍ତୁ ୩/୪ ଦିନ ହେବ ସେ ଅସୁସ୍ଥ ଥିଲେ । ଗତ ଗୁରୁବାର ସନ୍ତୋଷଙ୍କୁ ଅଧିକ ଥଣ୍ଡା ଅନୁଭବ ହେବାରୁ ଖବରପାଇ ତାଙ୍କ ସାନଭାଇ ବିନୋଦ ବରାଡ ଏକ ଭଡା ଗାଡିରେ ଭଞ୍ଜନଗରସ୍ଥିତ କୋଭିଡ୍ କେୟାର ସେଣ୍ଟରକୁ ନେଇଥିଲେ । ସନ୍ତୋଷ ଅଧିକ ଅସୁସ୍ଥ ହେବାରୁ ତାଙ୍କୁ ବ୍ରହ୍ମପୁର ନିକଟସ୍ଥ ଶୀତଳାପଲ୍ଳୀସ୍ଥିତ କୋଭିଡ୍ ହସ୍ପିଟାଲକୁ ପଠାଯାଇଥିଲା । ହେଲେ ସେଠାରେ ସନ୍ତୋଷଙ୍କ ମୃତ୍ୟୁ ହୋଇଥିଲା । ପ୍ରଶାସନିକ ଅବହେଳା ଯୋଗୁ ସନ୍ତୋଷଙ୍କ ମୃତ୍ୟୁ ହୋଇଥିବା ସାନଭାଇ ବିନୋଦ ଅଭିଯୋଗ କରିଛନ୍ତି । ସେହିପରି ବୁଗୁଡା ବ୍ଳକ୍ ଏ.କରଣାବାଡି ପଞ୍ଚାୟତ ବଣପଲ୍ଳୀ ଗ୍ରାମରେ ଘରୋଇ ସଙ୍ଗରୋଧରେ ଥିବା ଜଣେ ସୁରଥ ଫେରନ୍ତାଙ୍କ ମୃତ୍ୟୁ ଘଟିଛି । ସେ ହେଲେ ପ୍ରଭାକର ଗୌଡ(୪୦) । ଗତ ୨୫ତାରିଖରେ ସୁରଥରୁ ଫେରି ବୁଗୁଡା ବ୍ଲକ୍ ପାଣିକେଶ୍ୱର ସଙ୍ଗରୋଧ କେନ୍ଦ୍ରରେ ରହି ଘରକୁ ଫେରିଥିଲେ । ପରେ ଜ୍ୱର ହେବାପରେ ତାଙ୍କ ମୃତ୍ୟୁ ଘଟିଛି । ସୂଚନାଥାଉକି, ଗଞ୍ଜାମ ଜିଲ୍ଲାର ସଙ୍ଗରୋଧ କେନ୍ଦ୍ରରେ ପୂର୍ବରୁ ପ୍ରବାସୀଙ୍କ ମୃତ୍ୟୁ ଘଟିଥିବା ନଜିର ରହିଛି । ଆସିକା ବ୍ଳକ୍ ଅଧିନସ୍ଥ ଖୁଣ୍ଡୁଣ୍ଡିଆ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ଗତ ମେ ୨୦ତାରିଖରେ ଗଙ୍ଗାପୁର ପଞ୍ଚାୟତ ରାଜେନ୍ଦ୍ରପୁର ଗ୍ରାମର ରାମହରି ସ୍ୱାଇଁ ଓ ସୁନୀତା ସ୍ୱାଇଁଙ୍କର ୬ମାସର ଶିଶୁପୁତ୍ରର ଆକସ୍ମିତ ମୃତ୍ୟୁ ହୋଇଥିଲା । ସେହିପରି ପୋଲସରା ବ୍ଳକ୍ ଢ଼ୁଙ୍କାପଡା ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ମଧୁପଲ୍ଳୀ ପଞ୍ଚାୟତ ମଧୁପଲ୍ଲୀ ଗ୍ରାମର ପ୍ରଫୁଲ୍ଲ ବେହେରା(୪୦)ଙ୍କ ମୃତ୍ୟୁ ହୋଇଥିଲା ।