-
ଏସ୍ପିଙ୍କୁ ଭେଟି ନ୍ୟାୟ ଭିକ୍ଷାକଲେ ସରପଞ୍ଚ ଓ ତାଙ୍କ ପରିବାର
ବ୍ରହ୍ମପୁର: ରଙ୍ଗେଇଲୁଣ୍ଡା ବ୍ଳକ୍ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତର ସରପଞ୍ଚଙ୍କୁ କେତେକ ଦୁର୍ବୃତ୍ତ ମାଡମାରି ବଟି ଦାବି କରିଥିବା ନେଇ ସରପଞ୍ଚ ଓ ତାଙ୍କ ପରିବାରବର୍ଗ ପକ୍ଷରୁ ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି । ସୂଚନାଥାଉକି, ଗତ ୮ତାରିଖ ଦିନ ପଦ୍ମପୁର ସରପଞ୍ଚ ପ୍ରଭାତୀ ନାୟକ ଓ ତାଙ୍କ ଦିଅର ଜଗନ୍ନାଥ ନାୟକ ପଦ୍ମପୁର ସ୍ଥିତ ସଙ୍ଗରୋଧ ଗୃହରେ ଅନ୍ତେବାସୀଙ୍କ ତଦାରଖ କରୁଥିବା ବେଳେ ପଦ୍ମପୁର ହରିଜନ ସାହିର ଶଙ୍କର ଦାସ, ଫକୀର ଦାସ, ଅଜୁ ଦାସ ଗ୍ରାମ ଶିବ ମନ୍ଦିର ନିକଟରେ ସେମାନଙ୍କୁ ଅଟକାଇ ପଇସା ମାଗିବା ସହ ତାଙ୍କୁ ମାଡ ମାରିଥିବା ନେଇ ଗୋଳନ୍ଥରା ଥାନାରେ ସରପଞ୍ଚଙ୍କ ଦିଅର ଲିଖିତ ଅଭିଯୋଗ କରିଥିଲେ ।
ଏହି ଅଭିଯୋଗପାଇ ଗୋଳନ୍ଥରା ଥାନାଧିକାରୀ ବାବୁଲି ନାୟକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଇତି ମଧ୍ୟରେ ୪ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଶୁକ୍ରବାର ସରପଞ୍ଚ ପ୍ରଭାତୀ ନାୟକ, ସ୍ୱାମୀ ଶରତ ନାୟକ ଓ ଦିଅର ଜଗନ୍ନାଥ ଓ ଗ୍ରାମର କିଛି ଭଦ୍ରବ୍ୟକ୍ତି ବ୍ରହ୍ମପୁରସ୍ଥିତ ଏସ୍ପିଙ୍କ କାର୍ଯ୍ୟାଳୟକୁ ଆସି ଏସ୍ପି ପିନାକ ମିଶ୍ରଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଥିଲେ । ଏସ୍ପି ଶ୍ରୀ ମିଶ୍ର ସରପଞ୍ଚଙ୍କ ଅଭିଯୋଗକୁ ଗୁରୁତର ସହ ନେଇ ଘଟଣାର ତଦନ୍ତକରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସଦର ଏସ୍ଡିପିଓ ଜୟନ୍ତ ମହାପାତ୍ର ଓ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।