-
ଶୁକ୍ରବାର ୬କରୋନା ରୋଗୀ ଚିହ୍ନଟ, ୩୦ସୁସ୍ଥ, ଜଣେ ମୃତ
ବ୍ରହ୍ମପୁର: ଦୀର୍ଘଦିନ ପରେ ଜିଲ୍ଲାରେ ଶୁକ୍ରବାର ୬ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ବର୍ତ୍ତମାନ ଜିଲ୍ଲାରେ ୬୫୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୮ଦିନରେ ୫୪୫ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦୮ଜଣ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଶୁକ୍ରବାର ଜଣେ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜଣାପଡିଛି । ମିଳିଥିବା ସୂଚନା ପ୍ରକାରେ ୫୫ବର୍ଷୀୟ ଜଣେ ବ୍ୟକ୍ତିଙ୍କ କୋଭିଡ ହସ୍ପିଟାଲରେ ମୃତ୍ୟୁବରଣ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ଜିଲ୍ଳାରେ ୫ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଗୁରୁବାର ମଧ୍ୟରାତ୍ର ଠାରୁ ଆରମ୍ଭକରି ଶୁକ୍ରବାର ମଧ୍ୟରାତ୍ର ପର୍ଯ୍ୟନ୍ତ ରାଜ୍ୟ ବାହାରୁ ୧୦ଟି ଟ୍ରେନ ସୁରତରୁ ୫, ମୁମ୍ବାଇରୁ ୨, ଚେନ୍ନାଇରୁ ୧, ବାଙ୍ଗାଲୋରରୁ ୧ରୁ ଗୋଟିଏ ଲେଖାଏଁ ଟ୍ରେନ୍ ଆସିଛି । ଏଥିରେ ପ୍ରାୟ ୧୩ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ଗଞ୍ଜାମକୁ ଆସିଛନ୍ତି । ଏମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପରେ ଜିଲ୍ଲାର ବିଭିନ୍ନ ସଙ୍ଗରୋଧ ଗୃହକୁ ୨୧ଦିନିଆ କ୍ୱାରାଣ୍ଟାଇନ୍ରେ ରହିବାକୁ ପଠାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ବରିଷ୍ଠ ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ ପୋଲିସ ପ୍ରଶାସନର ଏହି ପ୍ରବାସୀ ଓଡ଼ିଆଙ୍କୁ ସ୍ୱାଗତ କରିବା ସହ କରାଯାଇଥିବା ବସ୍ରେ ସଙ୍ଗରୋଧ ଗୃହକୁ ପଠାଯାଇଛି । ପ୍ରବାସୀ ଓଡ଼ିଆ ଆସିବାବେଳେ ଯେପରି ବାହାର ଲୋକ ନ ପଶନ୍ତି ସେଥିନିମନ୍ତେ ଅଞ୍ଚଳକୁ ୧୪୪ ଧାରା ଘୋଷଣା କରାଯାଇଥିଲା । ବର୍ତ୍ତମାନ ଜିଲ୍ଲାକୁ ପ୍ରାୟ ୨ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ଆସିଥିବା ବେଳେ ସେମାନଙ୍କୁ ୪ହଜାରରୁ ଊର୍ଦ୍ଧ୍ୱ ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପ ବା ସଙ୍ଗରୋଧ ଗୃହରେ ରଖାଯାଇଛି ।