ନୂଆଦିଲ୍ଲୀ– ଭାରତ କରୋନା ଭାଇରସ ସଂକ୍ରମିତ ଦୃଷ୍ଟିରୁ ଗୁରୁବାର ଦୁଇ ଦେଶ- ସ୍ପେନ ଓ ବ୍ରିଟେନକୁ ଅତିକ୍ରମ କରିଛି । କରୋନା ଭାଇରସରେ ସର୍ବାଧିକ ସଂକ୍ରମିତ ଦେଶଗୁଡ଼ିକର ତାଲିକାରେ ୪ର୍ଥ ସ୍ଥାନରେ ପହଞ୍ଚିଛି । ଭାରତରେ ଗୁରୁବାର ସନ୍ଧ୍ୟାଯାଏଁ ୯ ହଜାର ୮୬୬ଟି ନୂଆ କେସ ଆସିଥିଲା । ଫଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୯୭ ହଜାର ୧ରେ ପହଂଚିଥିଲା । ଏହି ଆଧାରରେ ସ୍ପେନ ଓ ବ୍ରିଟେନକୁ ଭାରତ ଅତିକ୍ରମ କରିଥିଲା । ସ୍ପେନରେ ଏଯାଏଁ କରୋନା ସଂକ୍ରମିତ ସଂଖ୍ୟା ୨ ଲକ୍ଷ ୮୯ ହଜାର ୭୮୭ ହୋଇଥିବା ବେଳେ ବ୍ରିଟେନରେ ଏହି ସଂଖ୍ୟା ୨ ଲକ୍ଷ ୯୧ ହଜାର ୪୦୯ ଜଣ ।
ଜାତୀୟ ଗଣମାଧ୍ୟମକୁ ହାସଲ ହୋଇଥିବା ତଥ୍ୟ ଅନୁସାରେ କରୋନା ଭାଇରସ ମାମଲାରେ ଭାରତ ଉପରେ ରହିଛନ୍ତି ଆମେରିକା, ବ୍ରାଜିଲ ଓ ଋଷିଆ । ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ଲକ୍ଷ ୮୯ ହଜାର ୬୯୮, ବ୍ରାଜିଲରେ ୮ ଲକ୍ଷ ୫ ହଜାର ୬୪୯ ଓ ଋଷିଆରେ ଏହି ସଂଖ୍ୟା ୫ ଲକ୍ଷ ୨ ହଜାର ୪୩୬ ଜଣ । ଏହି ଦେଶଗୁଡ଼ିକରେ ଗୁରୁବାର ସନ୍ଧ୍ୟା ଯାଏଁ ଭାରତ ପରେ ସର୍ବାଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଋଷିଆରେ ୮୭୭୯, ଆମରିକାରେ ୪୫୬୦, ବ୍ରିଟେନରେ ୧୨୬୬ ଓ ବ୍ରାଜିଲରେ ୩୯୭ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ଗୋଟିଏ କଥା ହେଲା ଯେ, ଭାରତରେ ବିଶ୍ୱର ଅନ୍ୟ ଦେଶ ତୁଳନାରେ ଲେକସଂଖ୍ୟା ଅଧିକ ।