ନୂଆଦିଲ୍ଲୀ– ଦେଶବ୍ୟାପୀ କୋଭିଡ-୧୯ରେ ସଂକ୍ରମିତ ରୋଗୀଙ୍କର ସଂଖ୍ୟା ୨.୯ ଲକ୍ଷରେ ପହଞ୍ଚିଛି । ଦିନକରେ ରେକର୍ଡ ୧୦ ହଜାର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥି ସହିତ ଚଳିତ ମାସରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ପ୍ରାୟ ୧ ଲକ୍ଷ ହୋଇସାରିଛି । ସରକାର କହିଛନ୍ତି, ଗୋଷ୍ଠୀ ସଂକ୍ରମଣ ହୋଇନାହିଁ । କାରଣ ଲକଡାଉନ ଓ କଣ୍ଟେନମେଣ୍ଟ ଜୋନ ଯୋଗୁଁ କରୋନା ଭାଇରସ ତୀବ୍ର ଗତିରେ ବଢ଼ିପାରୁ ନାହିଁ । ତେବେ ସକ୍ରିୟ ଆକ୍ରାନ୍ତଙ୍କ ତୁଳନାର ଅଧିକ ସୁସ୍ଥ ହୋଇଥିବା ହାର ଅଧିକ ଅଛି ।
ଦେଶରେ କରୋନାଜନିତ ମୃତ୍ୟୁ ଗୋଟିଏ ଦିନରେ ୩୫୦ ହେବା ପରେ ମୋଟ ମୃତକଙ୍କ ସଂଖ୍ୟା ୮୫୦୦ ନିକଟତର ହେଶଇଛି । ଏଥିରୁ ଏକ ତୃତୀୟାଂଶ ଲୋକଙ୍କର ମୃତ୍ୟୁ ମାତ୍ର ୧୧ ଦିନ ମଧ୍ୟରେ ହୋଇଛି । ଗତ ମାର୍ଚ୍ଚ ୨୫ରେ ଲକଡାଉନ ଆରମ୍ଭ ହେବା ପରେ ପର୍ଯ୍ୟାୟ କ୍ରମେ ଲକଡାଉନ କଟକଣା କୋହଳ କରାଯାଇଛି । ଚତୁର୍ଥ ପର୍ଯ୍ୟାୟରେ ଲାଗୁ ହୋଇଥିବା ଲକଡାଉନରେ କଟକଣାରେ କୋହଳ କରାଯାଇଥିଲା । କିନ୍ତୁ ଏବେ ବି କିଛି କଟକଣା ଜାରି ରହିଛି । ଅଢ଼େଇ ମାସରୁ ଅଧିକ ସମୟ ହେବ ମେଟ୍ରୋ ରେଳ, ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଓ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିଛି । ଏହାକୁ ପର୍ଯ୍ୟାୟକ୍ରମେ କୋହଳ କରାଯିବାର ଆଶା ଦେଖାଯାଉଛି ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଦେଶରେ କରୋନା ଭାଇରସରେ ସଂକ୍ରମିତ ଲୋକଙ୍କର ସଂଖ୍ୟା ୨.୮୯ ଲକ୍ଷରେ ପହଞ୍ଚିଛି । ଗୁରୁବାର ରାତି ୯ଟା ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୮ ହଜାର ୪୮୫ରେ ପହଞ୍ଚିଛି । ଦେଶବ୍ୟାପୀ ମେ’ ମାସ ପର୍ଯ୍ୟନ୍ତ ସଂକ୍ରମିତ ସଂଖ୍ୟା ୧ ଲକ୍ଷ ୭୩ ହଜାର ୭୬୩ ଥିଲା । ସେହିପରି ୫ ୯୩୧ ଜଣଙ୍କର ମୃତ୍ୟୁ ହୋଇଥିଲା ।