-
ଜୁନ 18ରୁ କୋଇଲା ଖଣିର ବାଣିଜ୍ୟିକ ନିଲାମ କରିବେ ସରକାର
ନୂଆଦିଲ୍ଲୀ- ଜୁନ 18 ତାରିଖରୁ ଭାରତ ସରକାର ବାଣିଜ୍ୟିକ ଭିତ୍ତିରେ କୋଇଲା ଖଣିଗୁଡିକର ନିଲାମ ଆରମ୍ଭ କରିବେ । ଉନ୍ମୁକ୍ତ କୋଇଲା କ୍ଷେତ୍ର : ଆତ୍ମନିର୍ଭର ଭାରତର ନୂତନ ଆଶା ଶୀର୍ଷକ ଏହି ଯୋଜନାକୁ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିବେ ।
“ଆମେ ପ୍ରଥମ ଥର ନିମନ୍ତେ ବାଣିଜ୍ୟିକ ଭିତ୍ତିରେ ଦେଶରେ କୋଇଲା ନିଲାମ କରୁଛୁ । ପ୍ରଧାନମନ୍ତ୍ରୀ ଏହି ଅବସରରେ ଯୋଗଦେବେ । କୋଇଲା ଦ୍ଵାରା ଆତ୍ମନିର୍ଭର ଭାରତ ଗଠନ କରିବା ହେଉଛି ତାଙ୍କର ମାର୍ଗଦର୍ଶନ ଓ ଦୂରଦୃଷ୍ଟିର ପରିଚାୟକ । ମୁଁ ଗର୍ବିତ ଯେ, ଆମେ ଏହାକୁ ହାସଲ କରିବୁ” । ଆଜି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ ଟ୍ୱିଟ ମାଧ୍ୟମରେ ଏହା ପ୍ରକାଶ କରିଛନ୍ତି ।
ଭାରତୀୟ କୋଇଲା କ୍ଷେତ୍ରରେ ଏହା ଏକ ଐତିହାସିକ ଦିନ । ବିଭିନ୍ନ କଟକଣାରୁ ମୁକ୍ତ ହୋଇ ଏହା ଏକ ନୂତନ ଅଭିବୃଦ୍ଧି ଆଡକୁ ଗତି କରିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ଓ ବଳିଷ୍ଠ ନେତୃତ୍ଵରେ ଦେଶ ଆତ୍ମନିର୍ଭର ଭାରତ ଅଭିଯାନକୁ ଆପଣେଇଛି । ଏହାକୁ ସାକାର କରିବା ପାଇଁ କୋଇଲା କ୍ଷେତ୍ରରେ ଢାଞ୍ଚାଗତ ସଂସ୍କାର ଆଣିବାକୁ ପଡିବ ।
ବାଣିଜ୍ୟିକ କୋଇଲା ଖଣି ନିଲାମ ପୂର୍ବରୁ ଏକ୍ଷେତ୍ରରେ ହେଉଥିବା ନିଲାମ ତୁଳନାରେ ସଂପୂର୍ଣ୍ଣ ଭିନ୍ନ । ବର୍ତ୍ତମାନ ଏହା ସଂପୂର୍ଣ୍ଣ କଟକଣା ମୁକ୍ତ ରହିବ । ପ୍ରସ୍ତାବିତ ନିଲାମରେ ଥିବା ନିୟମ କାନୁନ ନୂତନ କମ୍ପାନୀଗୁଡ଼ିକୁ ନିଲାମ ପ୍ରକ୍ରିୟାରେ ଭାଗ ନେବାରେ ବିଶେଷ ସହାୟକ ହେବ । ଏହି ବ୍ୟବସ୍ଥା ସଂପୂର୍ଣ୍ଣ ସ୍ଵଚ୍ଛ ହେବା ସହ ଏଥିରେ ଶତକଡା 100 ଭାଗ ପର୍ଯ୍ୟନ୍ତ ବିଦେଶୀ ପୁଞ୍ଜି ନିବେଶ ମଧ୍ୟ ସମ୍ଭବ ହେବ । ନିଲାମ ପାଇଁ ଯୋଗ୍ୟ ବିବେଚିତ ସଂସ୍ଥା କୋଇଲା ଉତ୍ପାଦନ ଓ ଏହାର ବାଷ୍ପିକରଣ ଦିଗରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ।
ଏହି ନିଲାମ ପ୍ରକ୍ରିୟା ଦେଶରେ ଶକ୍ତି ନିରପତ୍ତା ପାଇଁ ଦୃଢ ଭିତ୍ତିଭୂମି ସୃଷ୍ଟି କରିବା ସହ ଅତିରିକ୍ତ କୋଇଲା ଉତ୍ପାଦନ ସହ ଅଧିକ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବ । 2023-24 ଆର୍ଥିକ ବର୍ଷ ସୁଦ୍ଧା କୋଲ ଇଣ୍ଡିଆ ନୂତନ ପଦକ୍ଷେପ ଯୋଗୁଁ 100 ନିୟୁତ ଟନ ପର୍ଯ୍ୟନ୍ତ କୋଇଲା ଉତ୍ତୋଳନ କରିବା ସହ ଦେଶର ତାପଜ କୋଇଲା ଆବଶ୍ୟକତାକୁ ମଧ୍ୟ ପୂରଣ କରିପାରିବ ।