ବ୍ରହ୍ମପୁର: କରୋନା ଛଡେଇ ନେଇଛି କଳାକାରଙ୍କ ଜୀବନ ଜୀବୀକା । ଆମେ କହୁଛୁ ବିଶ୍ୱ ପ୍ରସିଦ୍ଧ ଯୋଡି ଶଙ୍ଖ ଓ ରଣପା ନୃତ୍ୟ କଳାକରଙ୍କ କଥା । କରୋନା ଭାଇରସ ଯୋଗୁ ଦୀର୍ଘ ୩ମାସ ହେଲା କୌଣସି ମଞ୍ଚ ପାଉନାହାଁନ୍ତି ଏହି କଳାକାରମାନେ । ଏହାଛଡା ବର୍ତ୍ତମାନ କୌଣସି ପ୍ରକାରର ମାଙ୍ଗଳିକ କାର୍ଯ୍ୟ ମଧ୍ୟ ହେଉନାହିଁ । ଯାହାଫଳରେ ଯୋଡି ଶଙ୍ଖ ଓ ରଣପା ନୃତ୍ୟ କଳାକାରମାନେ ଆର୍ଥିକ କ୍ଷେତ୍ରରେ ଭାଙ୍ଗି ପଡି ନିଜର ରୋଜଗାରର ପନ୍ଥା ମଧ୍ୟ ବଦଳାଇ ଦେଇଛନ୍ତି । ତଥାପି ମଧ୍ୟ କଳାକାରମାନେ ନିଜର ଅଭ୍ୟାସ ଜାରି ରଖିବା ସହିତ ସରକାରଙ୍କ ସହାୟତାକୁ ଅନାଇ ବସିଛନ୍ତି । ଶଙ୍ଖଧ୍ୱନିର ଅଭୁଦପୂର୍ବ କଳାଚାତୁରୀ ଗଞ୍ଜାମର ବିଶ୍ୱ ପ୍ରସିଦ୍ଧ ଯୋଡିଶଙ୍ଖ ନାମରେ ପରିଲକ୍ଷିତ ହୋଇଥାଏ । ଏକାଥରେ ଦୁଇଟି ଶଙ୍ଖଫୁଙ୍ଖା ଯାଉଥିବାରୁ ଏହାକୁ ଯୋଡିଶଙ୍ଖ ବୋଲି କୁହାଯାଏ । ଅନ୍ୟୁନ ୧୨ଜଣଙ୍କୁ ନେଇ ଗଢ଼ାଯାଇତଥାଏ ଯୋଡିଶଙ୍ଖ ଦଳ । ବ୍ରହ୍ମପୁର ଉପକଣ୍ଠ ନରେନ୍ଦ୍ରପୁର ହେଉଛି ଏହି ଯୋଡିଶଙ୍ଖର ଏନ୍ତୁଡିଶାଳ । ଯୋଡିଶଙ୍ଖ ବାଦନ ସାଙ୍ଗକୁ ଢ଼ୋଲ, ମହୁରି, ଝାଞ୍ଜ, ଝୁମୁକା ଆଦିର ଅପୂର୍ବ ସଙ୍ଗମ ଏହାକୁ ବୀର ବାଦ୍ୟର ମାନ୍ୟତା ମଧ୍ୟ ଦେଇଛି । ଯୋଡିଶଙ୍ଖ ପରିବେଷଣ ବେଳେ ଶଙ୍ଖୁଆଙ୍କ ବିଭିନ୍ନ ଆସନର ଚିତ୍ତାକର୍ଷକ ପ୍ରଦର୍ଶନ ଦର୍ଶକଙ୍କୁ ଆହୁରୀ ଆକୃଷ୍ଟ କରିଥାଏ । କିନ୍ତୁ ବର୍ତ୍ତମାନ ଦୀର୍ଘ ୩ମାସ ହେଲା ଏହି ଯୋଡିଶଙ୍ଖ ଏବଂ ରଣପା ନୃତ୍ୟ କଳାକାରଙ୍କ ଜୀବନ ଏକ ପ୍ରକାରର ଦୁର୍ବିସହ ହୋଇଯାଇଛି । କାରଣ କରୋନା ଭାଇରସ ଯୋଗୁ ବର୍ତ୍ତମାନ ନିଜର କଳାକୁ ପରିବେଷଣ କରିବା ନିମନ୍ତେ ଆଉ ମଞ୍ଚ ପାଉନାହାଁନ୍ତି କଳାକାରମାନେ । ଦୀର୍ଘ ବର୍ଷଧରି ଏହି କଳାକାର କାର୍ଯ୍ୟରୁ ହିଁ ଯାହା ପାଇଲେ ସେଥିରେ ଏମାନଙ୍କ ଘର ପ୍ରତିପୋଷଣ ହେଉଥିଲା । ବର୍ତ୍ତମାନ କୌଣସି ଠାରେ କୌଣସି ପ୍ରକାରର ମାଙ୍ଗଳିକ ହେଉ ଅବା ଉତ୍ସବ କାର୍ଯ୍ୟକ୍ରମ ହେଉନଥିବା ଯୋଗୁ ହାତବାନ୍ଧି ବସିଛନ୍ତି କଳାକାରମାନେ ।
ବ୍ରହ୍ମପୁର ଉପକଣ୍ଠ ନରେନ୍ଦ୍ରପୁରର ପ୍ରାୟ ୫୦ରୁ ଅଧିକ ପରିବାରର ଲୋକେ ହେଉଛନ୍ତି ଏହି ଯୋଡିଶଙ୍ଖ ଓ ରଣପା ନୃତ୍ୟ କଳାକାର । ଦୀର୍ଘ ୩ମାସ ହେଲେ କୌଣସି ସ୍ଥାନରେ କିଛି ମଧ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉନଥିବା ଯୋଗୁ ବର୍ତ୍ତମାନ ବହୁ କଷ୍ଟର ସହିତ ନିଜର ପରିବାରକୁ ପ୍ରତିପୋଷଣ କରୁଛନ୍ତି କଳାକାର ମାନେ । ବର୍ତ୍ତମାନ କେବଳ ସେମାନେ କଳାକାର ହୋଇ ନିଜର ଜୀବନ ବିତାଉଥିବା ବେଳେ କରୋନା ଯୋଗୁ ସେମାନେ ନିଜର କଳାକାର ବୃତ୍ତିକୁ ଜାରୀ ରଖିବା ସହିତ ମୂଲ ଲାଗି ଦୁଇ ପଇସା ରୋଜଗାର କରିବାରେ ଲାଗି ପଡିଛନ୍ତି । ଏହି କଳାକାର ମାନଙ୍କ ମଧ୍ୟରୁ କିଏ ଚାଷ କାର୍ଯ୍ୟରେ ବର୍ତ୍ତମାନ ନିୟୋଜିତ ହୋଇଛି ତ ଆଉ କେହି ମୂଲ ଲାଗି ନିଜର ପରିବାରକୁ ପ୍ରତିପୋଷଣ କରୁଛନ୍ତି । ପ୍ରତିଦିନ ନିଜର କାର୍ଯ୍ୟ ଶେଷ ହେବା ପରେ କିଛି ସମୟ ଯୋଡିଶଙ୍ଖ ଓ ରଣପା ନୃତ୍ୟ ଅଭ୍ୟାସ କରୁଛନ୍ତି କଳାକାରମାନେ । କରୋନା ଭାଇରସରେ ସାରା ଦେଶ ଆତଙ୍କିତ ହୋଇଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାରେ ଲୋକଙ୍କୁ ସହାୟତା ପ୍ରଦାନ କରାଯାଉଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା କଳାକାରମାନଙ୍କ ନିମନ୍ତେ କୌଣସି ପ୍ରକାରର ବ୍ୟବସ୍ଥା କରାଯାଇନାହିଁ । ତେଣୁ ଏହି କଳାକାରମାନଙ୍କ ନିମନ୍ତେ ସରକାର ଆର୍ଥିକ ସହାୟତା ପ୍ରଦାନ କରିବା ନିମନ୍ତେ ଦାବି କରିଛନ୍ତି ସ୍ଥାନୀୟ ଗ୍ରାମବାସୀ । ନିଜର ଯୋଡିଶଙ୍ଖ ଏବଂ ରଣପା ନୃତ୍ୟ ଦ୍ୱାରା କେବଳ ଯେ ଓଡ଼ିଶାବାସୀଙ୍କ ମନ ଜିଣିଛନ୍ତି ତାହା ନୁହେଁ ବରଂ ଭାରତ ଏବଂ ଭାରତ ବାହାରର ବିଭିନ୍ନ ଦେଶରେ ନିଜର କଳାକୁ ପ୍ରଦର୍ଶନ କରି ବେଶ୍ ସଫଳତା ସାଉଁଟିଛନ୍ତି ଏହି କଳାକାରମାନେ । କିନ୍ତୁ ଏହି କଳାକାର ଏବେ ଜୀବନ ଜୀବୀକା ସହିତ ସଂଗ୍ରାମ କରୁଥିବା ବେଳେ ସରକାର ତୁରନ୍ତ ଏମାନଙ୍କୁ ସରକାରୀ ସହାୟତା ଯୋଗାଇଦେବା ଏବେ ଜରୁରୀ ହୋଇପଡିଛି ।