ବ୍ରହ୍ମପୁର: କୋଭିଡ ସାମଗ୍ରୀ କିଣାରେ ଦୁର୍ନୀତି ଅଭିଯୋଗନେଇ ରାଜ୍ୟ ରାଜନୀତି ଚଳଚଞ୍ଚଳ ଥିବାବେଳେ ଏହାକୁ ବିରୋଧକରି କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରାଯାଇଛି । ମାସ୍କ କିଣାରେ ଦୁର୍ନୀତି ଅଭିଯୋଗରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ ଛତ୍ରପୁର ଠାରେ ଏକ ଶୋଭାଯାତ୍ରାକରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଜରିଆରେ ରାଜ୍ୟପାଳଙ୍କ ନିକଟକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଜିଲ୍ଲାରେ ଥିବା ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ମହିଳାମାନଙ୍କୁ ଉଚିତ ସୁବିଧା ଯୋଗାଇ ଦିଆଯାଉନଥିବା ନେଇ ମହିଳା କଂଗ୍ରେସ ନେତ୍ରୀ ସ୍ୱରୁପା ତ୍ରିପାଠୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ବରିଷ୍ଠ କଂଗ୍ରେସ ନେତା ଶମ୍ଭୁନାଥ ପାଣିଗ୍ରାହୀ, ବିଜୟ ସାହୁ, ବିଜୟରାଜ ପାଣିଗ୍ରାହୀଙ୍କ ସମେତ ବହୁ କଂଗ୍ରେସ କର୍ମୀ ଓ ନେତା ଉପସ୍ଥିତ ଥିଲେ ।