
ନୂଆଦିଲ୍ଲୀ– ସାରା ଦେଶରେ କରୋନା ସଂକ୍ରମିତ ଲୋକଙ୍କର ସଂଖ୍ୟା ବୁଧବାର ୨.୮ ଲକ୍ଷ ହୋଇଥିବା ବେଳେ ଏଥିରୁ ଏକ ତୃତୀୟାଂଶ କରୋନା ପଜିଟିଭ ଜୁନ ମାସର ୧୦ ଦିନ ମଧ୍ୟରେ ଚିହ୍ନଟ ହୋଇଛନ୍ତି । ମାତ୍ର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, କରୋନା ଭାଇରସ ଭୂତାଣୁରେ ସଂକ୍ରମିତ ଲୋକଙ୍କ ତୁଳନାରେ ଅଧିକ ଆରୋଗ୍ୟଲାଭ କରିଛନ୍ତି । ଦେଶବ୍ୟାପୀ କରୋନା ଭାଇରସରେ ସଂକ୍ରମିତ ଲୋକଙ୍କର ସଂଖ୍ୟାରେ ଜୁନ ୧ ତାରିଖ ପରେ ୯୦ ହଜାର ଯୋଡ଼ି ହୋଇଯାଇଛି । ମୁମ୍ବାଇ ଓ ଦିଲ୍ଲୀ ପରେ ଚେନ୍ନାଇରେ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି । ଚେନ୍ନାଇରେ ବିଗତ କିଛି ଦିନ ହେବ ସଂକ୍ରମିତ ସଂଖ୍ୟାରେ ବୃଦ୍ଧି ପାଇଛି । ଜୁନ ୮ ଯାଏଁ ଚେନ୍ନାଇରେ ୪୬୦ ଜଣଙ୍କର ମୃତ୍ୟୁ ହୋଇଛି ।
ଭାରତରେ ଜାନୁଆରୀ ୩୦ରେ ପ୍ରଥମ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଥିଲା । ମାତ୍ର ଏହାର ୧୦୦ ଦିନରୁ ଅଧିକ ସମୟ ମଧ୍ୟରେ ଅର୍ଥାତ ମେ’ ୧୮ ତାରିଖ ବେଳକୁ ସଂକ୍ରମିତ ଲୋକଙ୍କ ସଂଖ୍ୟା ଏକ ଲକ୍ଷରେ ପହଂଚିଥିଲା । ପରବର୍ତ୍ତୀ ଏକ ଲକ୍ଷ ସଂକ୍ରମିତ ମାତ୍ର ୧୫ ଦିନରେ ଚିହ୍ନଟ ହୋଇଥିଲେ । ଗତ ଏକ ସପ୍ତାହରୁ ଅଧିକ ସମୟ ହେବ ଦୈନିକ ୯ ହଜାର ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ଭାରତରେ ଖୁବ ଶୀଘ୍ର କରୋନା ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ହେବାର ଅନୁମାନ କରାଯାଉଛି । ଜନ ହପିକିନ୍ସ ବିଶ୍ୱବିଦ୍ୟାଳୟର ତଥ୍ୟ ଅନୁସାରେ ଭାରତରେ ସଂକ୍ରମଣ ଯୋଗୁଁ ମୃତ୍ୟୁ ସଂଖ୍ୟା ବିଶ୍ୱର ତାଲିକାରେ ୧୨ ନମ୍ବରରେ ଅଛି । କିନ୍ତୁ ସୁସ୍ଥ ହେବା ତାଲିକାରେ ୯ମ ସ୍ଥାନ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ବୁଧବାର ସକାଳୁ ଜାରି ହୋଇଥିବା ତଥ୍ୟ ଅନୁସାରେ ଭାରତରେ ୧ ଲକ୍ଷ ୩୩ ହଜାର ୬୩୨ ଜଣ ଚିକିତ୍ସିତ ହେଉଥିବା ବେଳେ ସୁସ୍ଥ ହୋଇଛନ୍ତି ୧ ଲକ୍ଷ ୩୫ ହଜାର ୨୦୫ ଜଣ । ବର୍ତ୍ତମାନ ଆମେରିକା, ବ୍ରାଜିଲ, ଋଷିଆ ଓ ବ୍ରିଟେନ ପରେ ଭାରତର ସ୍ଥାନ ଅଛି ।