ରାଉରକେଲା– ରାଉରକେଲାରେ ସଂଗଠିତ ଗୁଳିକାଣ୍ଡରେ ଦୀଲସାଦ ନାମକ ଯୁବକର ମୃତ୍ୟୁ ହେବା ମାମଲାରେ ଏବେ ପୁଲିସ ହାତ ଖାଲି ଥିବା ବେଳେ ଏହି ହତ୍ୟା ଲାଗି ମୃତ ଦୀଲସାଦର ବ୍ୟସାୟୀକ, ରାଜନୈତିକ ନା ଲୋକପ୍ରିୟତା କାରଣ ଦାୟୀ ବୋଲି ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି । ଇତିମଧ୍ୟରେ ଘଟଣାର ୪ ଦିନ ବିତିଯାଇଥିଲେ ସୁଦ୍ଧା ପୁଲିସ ଖାଲି କିଛି ଲୋକଙ୍କୁ ପଚରା ଉଚରା ଚଳାଇଛି ସିନା ଦୋଷୀ ମାନଙ୍କ ପାଖରେ ପହଁଚି ପାରିନାହିଁ ।
ଗତ ୨୬ ତାରିଖରେ ପୁଲିସ ଓ ସେ ସମୟର କଂଟେନମେଂଟ ଜୋନ୍ ର କିଛି ଲୋକଙ୍କ ସହ ହୋଇଥିବା ମୁହାଁ ମୁହିଁ ମାମଲାରେ ଦୀଲସାଦଙ୍କର ଲୋକପ୍ରିୟତା କିଛି କାମ କରିଥିଲା କି? ବୋଲି ପ୍ରଶ୍ନ ହେଉଛି । କାରଣ ସେ ଅଂଚଳରେ ବିଗତ ଦିନରେ ପୁଲିସ ଓ ସାଧାରଣ ଲୋକେ ଏଭଳି ମୁହାଁ ମୁହିଁ କେବେବି ହୋଇନଥିବା ବେଳେ କୌଣସି ଲୋକଙ୍କର ଏଭଳି ଲୋକପ୍ରିୟତା ମଧ୍ୟ ଦେଖା ଯାଇନାହିଁ । ତା ଛଡା ଜଣେ ୩୧ ବର୍ଷର ଯୁବକଙ୍କର ଏଭଳି ଲୋକପ୍ରିୟତା କାହାକୁ ଅସିହିଷ୍ଣୁତା କିମ୍ବା କାହାର କିଛି ପୋଲ୍ ଖୋଲିଜିବାର ଭୟରେ ସଂପୃକ୍ତ ଯୁବକକୁ ରାସ୍ତାରୁ ହଟାଇ ଦିଆଗଲା କି? ବୋଲି ପ୍ରଶ୍ନ ହେଉଛି । ଏହା ଛଡା ବ୍ୟବସାୟୀକ ଶତୃତା ହୁଏତ ତାଙ୍କ ମୃତ୍ୟୁର କାରଣ ହୋଇଥାଇପାରେ ବୋଲି ପ୍ରଶ୍ନ ହେଉଛି । କିନ୍ତୁ ଆଜିଯାଏ ସେ କିପ୍ରକାର ବ୍ୟବସାୟ କରୁଥିଲେ, କେତେ ଟଙ୍କା ଆୟକର ଦେଉଥିଲେ ତାହା ଜଣା ପଡିନଥିଲେବି ସେ ତାଙ୍କ ଆଖପାଖର ଗରିବ ଓ ଅସହାୟ ଲୋକ ମାନଙ୍କୁ ସହଯୋଗ କରୁଥିଲେ ଓ ତାଙ୍କ ବଂଚିବା େଶୈଳୀ କିଛି ଭିନ୍ନ ଥିଲା ବୋଲି ଆଲୋଚନା ଚାଲିଛି । ଏହା ଛଡା ମୃତ ଯୁବକ କୌଣସି ପଲିଟିକାଲ ଦଳର ସମର୍ଥକ ଥିଲେ କି? ଯଦି ଥିଲେ ତେବେ ତାଙ୍କର ଏଭଳି ଲୋକପ୍ରିୟତା ସାଙ୍ଗକୁ ଏତେ ସମର୍ଥକ, କାଳେ କାହାକୁ ବିପଦ ହେବ ଆଶଙ୍କା କରି କୌଣସି ପଲିଟିକାଲ ନେତା ଏହି ସୁପାରୀ ଦେଇ ଦୀଲସାଦକୁ ସଫା କରିଦେଲା କି ? ବୋଲି ସାଧାରଣରେ ଆଲୋଚନା ଚାଲିଛି । ଏ ସବୁ କଥା ଏଥିଲାଗି ଆଲୋଚନା ଚାଲିଛି କାରଣ ଏହି କମ୍ ବୟସର ଯୁବକଙ୍କର ନିଜ ଅଂଚଳରେ ଏତେ ପରିମାଣର ସମର୍ଥକ ହେଲେ କିପରି । ଖାଲି ସେତିକି ନୁହେଁ ରାଉରକେଲା ପୁଲିସ ଜିଲ୍ଲାର କିଛି ୨ ତାରକା,୩ ତାରକା ବାବୁ ମାନେ ମଧ୍ୟ କୁଆଡେ ଦୀଲସାଦର ଭକ୍ତ ଥିବା କଥା ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି ।