ମାଲକାନଗିରି– ରୋଗ ଯନ୍ତ୍ରଣାରେ ଦୀର୍ଘ ଦିନ ଧରି ପଡି ରହିବା ପରେ ଏହା ଅସହ୍ୟ ହେବାରୁ ମାନସିକ ଭାରସାମ୍ୟ ହରାଇ ଜଣେ ନବବଧୂ ନିଜ ବାପଘରେ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିଥିବା ଜଣାପଡିଛି । ଏପରି ଅଭାବନିୟ ଘଟଣା ଘଟିଛି ମାଲକାନଗିରି ଥାନା ପଦ୍ମଗିରି ପଞ୍ଚାୟତ ଏମଭି ୮ ୩ ଗ୍ରାମରେ ।
ଉକ୍ତ ଗ୍ରାମର ମିଲନ ମଣ୍ଡଳଙ୍କ ଝିଅ ଦୀପାଳି ଗତ ପାଞ୍ଚ ମାସ ତଳେ ଏମଭି ୧0 ଗ୍ରାମର ବାଦଲ ମଣ୍ଡଳକୁ ବିବାହ କରିଥିଲେ` ବିବାହର କିଛି ମାସ ପରେ ଦୀପାଳିର ଦେହ ବାରମ୍ବାର ଖରାପ ହେବାରୁ ସେ ସବୁବେଳେ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ । ଗତ ୫ ତାରିଖ ଦିନ ଦୀପାଳି ବାପ ଘରକୁ ଆସିଥିଲେ । ମଙ୍ଗଳବାର ରାତିରେ ଘରେ ସମସ୍ତେ ଶୋଇ ପଡିବା ପରେ ଦୀପାଳି ମାନସିକ ଭାରସାମ୍ୟ ହରାଇ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ତାଙ୍କ ଚିତ୍କାର ଶୁଣି ପରିବାର ଲୋକେ ସେ ଶୋଇଥିବା ରୁମ୍ କୁ ଯାଇ ଦୀପାଳି ପୋଡି ଯାଉଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ନିଆଁ ଲିଭାଇ ତାକୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲିସ ମେଡିକାଲରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।