ଜୟପୁର– ଜୟପୁର ସାଧାରଣ ଜନତାଙ୍କୁ ବିଶୁଦ୍ଧ ପାଣି ଯୋଗାଇବା ସରକାରଙ୍କ ନୈତିକ କର୍ତ୍ତବ୍ୟ । ଏଥିପାଇଁ ରାଜ୍ୟ ସରକାର ଲୋକଙ୍କ ପାଖକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ଯୋଜନା ପରେ ଯୋଜନା କରୁଛନ୍ତି l ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ ମଧ୍ୟ କରାଯାଉଛି କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଅଭାବ, ତୃଣମୂଳ ସ୍ତରରେ କର୍ମଚାରୀଙ୍କ ଖାମଖିଆଲି ନୀତି କିମ୍ବା ରlଜନେତାଙ୍କ ଦୂର ଦୃଷ୍ଟି ଅଭାବ ଯୋଗୁଁ ପାନୀୟ ଜଳ ପାଇଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳୁଛି ।
କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଚିପକୁର ପଞ୍ଚାୟତ ଏକ ପଛୁଆ ପଞ୍ଚାୟତ କହିଲେ ଆତ୍ୟୁତି ହେବନାହିଁ l ଏହି ପଞ୍ଚାୟତର ବିଭିନ୍ନ ଗ୍ରାମର ଜଳ ସଙ୍କଟ ଏକ ନିତିଦିନିଆ ଘଟଣା । ଲୋକଙ୍କ ପାଖରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚିପାରିନାହିଁ ଗ୍ରୀଷ୍ମ ପ୍ରଭାବରେ ତାପର ପ୍ରକୋପ ବଢିଚାଲିଥିବା ବେଳେ ଜଳସ୍ତର ଏବେ ଧିରେଧିରେ କମିବାରେ ଲଗିଛି । ଏଥି ଯୋଗୁଁ ଏବେ ନଦୀ, ନାଳ, କୂଅ, ପୋଖରୀ ଆଦି ଶୁଖିବାରେ ଲାଗିଲାଣି । ଏଭଳି ସମୟରେ ଗାଁରେ ଥିବା ନଳକୂଅ ଅଚଳ ହେବା ଓ ଅନ୍ୟ ନଳକୂପ ଗୁଡିକରେ ଅଳ୍ପପାଣି ବାହାରୁ ଥିବାରୁ ଗାଁରେ ଏବେ ଉତ୍କଟ ଜଳ ସମସ୍ୟା ଦେଖାଦେଇଛି । ତେବେ ପାନୀୟ ଜଳ ନିମନ୍ତେ ଅନ୍ୟ କୌଣସି ବିକଳ୍ପ ନଥିବାରୁ ଗାଁ ଲୋକେ ଝରଣାର ଦୂଷିତ ପାଣି ସଂଗ୍ରହ କରି ଶୋଷ ମେଣ୍ଟାଉଛନ୍ତି । ବୈପାରୀଗୁଡା ବ୍ଲକ ଚିପକୁର ପଞ୍ଚାୟତ ଅଧିନସ୍ଥ ଭାଲୁପାର ଗ୍ରାମରେ ଜଳ ସମସ୍ୟା ଦିନକୁଦିନ ବଢିବାରେ ଲାଗିଛି l ଭାଲୁପାର ଗ୍ରାମରେ ପ୍ରାୟ 20ରୁ ଉର୍ଦ୍ଧ୍ବ ପରିବାରର 70 ଲୋକ ବସବାସ କରିଆସୁଛନ୍ତି । ହେଲେ ଗ୍ରାମବାସୀଙ୍କ ପାଇଁ ପାନୀୟ ଜଳ ନିମନ୍ତେ ଗତ ଆଠ ବର୍ଷ ପୂର୍ବେ ସରକାରଙ୍କ ତରଫରୁ ଗୋଟିଏ ନଳକୂପ ବ୍ୟବସ୍ଥା କରାଯାଇଥିଲା l ମାତ୍ର କିଛି ମାସ ପରେ ଏହି ନଳକୂପରୁ ଆଉ ପାଣି ବାହାରିଲା ନାହିଁ l ଏବେବି ଏହି ନଳକୂପ ଅଚଳ ହୋଇପଡି ରହିଛି l ଏପଟେ ପାନୀୟ ଜଳ ପାଇଁ ମହିଳା ମାନେ ନିକଟସ୍ଥ ଝରଣାର ଦୂଷିତ ପାଣିକୁ ବିଲ ମଧ୍ୟରୁ ସଂଗ୍ରହ କରୁଥିବା ଦେଖିବାକୁ ମିଲିଛି । ପାନୀୟ ଜଳ ନିମନ୍ତେ ଏହି ଝରଣାର ଦୂଷିତ ପାଣିକୁ ଘଣ୍ଟାଘଣ୍ଟା ମହିଳାମାନେ ଲାଇନରେ ଅପେକ୍ଷା କରି ପାଣି ସଂଗ୍ରହ କରି ଶୋଷ ମେଣ୍ଟାଉ ଥିବାବେଳେ ଦୂଷିତ ପାଣି ପିଇବା ଯୋଗୁଁ ବିଭିନ୍ନ ସମୟରେ ଦେହ ଅସୁସ୍ଥ ହେବା ସହ ଅନେକ ଅସୁବିଧା ହେଉଥିବା ସେମାନେ କହିଛନ୍ତି l
ଚିପକୁର ସରପଞ୍ଚ ଭଗବତି ହନ୍ତାଳଙ୍କ କହିବା ଅନୁଯାୟୀ, ଭାଲୁପାର ଗ୍ରାମ ନୂତନ ନଳକୁପ ପାଇଁ ଆକ୍ସନ ପ୍ଲାନରେ ରଖାଯାଇଛି l ସେପଟେ ଜଳ ସମସ୍ୟା କିପରି ଅତି ଶୀଘ୍ର ସମାଧାନ ହେବ ସେ ଦିଗରେ ଜଳ ଓ ପରିମଳ ବିଭାଗ ଯନ୍ତ୍ରୀଙ୍କ ସହିତ ଆଲୋଚନା କରାଯାଇଛି ବୋଲି ସ୍ଥାନୀୟ ବିଡ଼ିଓ ଅଭିମନ୍ୟୁ କବିଶତପଥୀ କହିଛନ୍ତି । ଗତ ଆଠବର୍ଷ ଧରି ଦୂଷିତ ପାଣି ବ୍ୟବହାର କରୁଥିବା ଚିପକୁରର ଏହି ଗ୍ରାମବାସୀଙ୍କୁ କେବେ ଶୁଦ୍ଧଜଳ ମିଳିବ ତାହା ଦେଖିବାକୁ ବାକି ରହିଲା l