ଲକ୍ଷ୍ନୌ– ଉତ୍ତର ପ୍ରଦେଶରେ ଗୋପାଳନ ଓ ପଶୁଧନର ରକ୍ଷା ପାଇଁ କ୍ୟାବିନେଟ ସଂଶୋଧନ ଆଧ୍ୟାଦେଶ ୨୦୨୦କୁ ମଂଜୁରୀ ଦେଇଛି । ଏହି ଆଧ୍ୟାଦେଶରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଉତ୍ତର ପ୍ରଦେଶରେ ଗୋବଂଶ ହତ୍ୟା କରିବା ଅଥବା କ୍ଷତିକରିବାକୁ ଅଭିଯୁକ୍ତଙ୍କୁ ଜାମିନ ମିଳିବ ନାହିଁ ।
ଗୋବଂଶ ହତ୍ୟାକାରୀଙ୍କୁ ଗ୍ୟାଙ୍ଗଷ୍ଟାର ଆଇନ ଅନୁଯାୟୀ ଦଣ୍ଡ ମିଳିବ । ଆଧ୍ୟାଦେଶରେ ଗୋହତ୍ୟାକାରୀ ଅଭିଯୁକ୍ତର ପୋଷ୍ଟାର ସଂପୃକ୍ତ ବ୍ୟକ୍ତି ରହୁଥିବା ଅଂଚଳରେ ଲଗାଯିବ । ସରକାରଙ୍କ ଅନୁସାରେ ଏହି ଆଧ୍ୟାଦେଶର ଅସଲ ଉଦ୍ଦେଶ୍ୟ ହେଲା ଗୋବଧ ନିବାରଣ ଅଧିନୟମ ୧୯୫୫କୁ ଅଧିକ କ୍ରିୟାଶୀଳ କରିବା ।
ଅଧିନିୟମରେ ସଂଶୋଧନ ପ୍ରସ୍ତାବକୁ ମଂଜୁରୀ ମିଳିବା ପରେ ଗୋହତ୍ୟାକାରୀ ଦୋଷୀ ପ୍ରମାଣିତ ହେଲେ ୩ ବର୍ଷରୁ ସର୍ବାଧିକ ୧୦ ବର୍ଷ ଜେଲ ଦଣ୍ଡ ହେବ । ସେହିପରି ଦୋଷୀଙ୍କୁ ୩ରୁ ଅଧିକାଂଶ ୫ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ । ଗ୍ୟାଙ୍ଗଷ୍ଟାର ଆଇନ ଅନୁଯାୟୀ ଅଭିଯୁକ୍ତଙ୍କ ସଂପତ୍ତି ଜବତ ହେବ । ସେହିପରି ଗୋବଂଶର ଅଂଗ ପ୍ରତ୍ୟଙ୍ଗ ଭାଙ୍ଗିଲେ ୧ ବର୍ଷରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ହେବ ଓ ୧ ଲକ୍ଷରୁ ୩ ଲକ୍ଷ ଟଙ୍କା ଯାଏଁ ଜରିମାନା ହେବ ।