ଗଞ୍ଜାମ– ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ନର୍ସିଂହୋମ୍କୁ ଦିଲ୍ କରିଛି ପ୍ରଶାସନ । ୩୦ ରୋଗୀଙ୍କୁ ଅନ୍ୟ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯିବା ସହିତ ଡ଼ାକ୍ତର ଘରେ ଓ କର୍ମଚାରୀ ମାନେ ନର୍ସିଂହୋମରେ କ୍ୱାରେଂଟାଇନରେ ରହିବାକୁ ନିର୍ଦ୍ଦେଶ ଜାରୀ କରିଛି ପ୍ରଶାସନ । କିଛି ଦିନ ତଳେ ଜଣେ ପ୍ରବାସୀ ଅଶୋକ ନଗର ଅଷ୍ଟମ ଗଳିରେ ଥିବା ନର୍ସିଂହୋମକୁ ଚିକିତ୍ସା ପାଇଁ ଆସିଥିଲେ । ରୋଗୀ ଜଣକ ବାହାରୁ ଆସିଥିବା ଜଣାପଡିବା ପରେ ସେଠାରୁ ଅନ୍ୟତ୍ର ପଠାଯାଇଥିଲା । ତେବେ ସନ୍ଦେହଜନକ ଭାବେ ସମ୍ପୃକ୍ତ ରୋଗୀଙ୍କ ସ୍ୱାବ୍ ପରୀକ୍ଷା କରାଯାଇଥିଲା । ଗତକାଲି ସମ୍ପୃକ୍ତ ରୋଗୀଙ୍କ ସ୍ୱାବ୍ ରିପୋର୍ଟ କରୋନା ପଜିଟିଭ୍ ଆସିଛି । ସେହିପରି ଗତ କିଛି ଦିନ ପୂର୍ବେ ବ୍ରହ୍ମପୁର ଜେଲର ଦୁଇ ଜଣ ବିଚାରଧିନ କଏଦୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହି ରୋଗୀଙ୍କୁ ମଧ୍ୟ ସମ୍ପୃକ୍ତ ଡ଼ାକ୍ତର ଚିକିତ୍ସା କରିଥିଲେ । ତେଣୁ ବର୍ତମାନ ତାଙ୍କୁ ୧୪ ଦିନିଆ ହୋମ୍ କ୍ୱାରେଂଟାଇନରେ ରହିବାକୁ ନିର୍ଦ୍ଦେଶ ରହିଛି । ସେ ହୋମ୍ କ୍ୱାରେଂଟାଇନରେ ରହିବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ୩ ଜଣ କର୍ମଚାରୀଙ୍କୁ ମଧ୍ୟ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ରହିଛି । ତେବେ ସେହି କର୍ମଚାରୀ ମାନେ ଅନ୍ୟମାନଙ୍କ ସଂସ୍ପର୍ଶରେ ଆସିଥିଲେ । ଗତକାଲି ବିଏମସିର ଏକ ସ୍ୱତନ୍ତ୍ର ଟିମ୍ ଅଶୋକ ନଗର ଅଷ୍ଟମ ଗଳିରେ ଥିବା ଏହି ନର୍ସିଂହୋମ୍ କୁ ସିଲ୍ କରିଥିଲେ । ଏଠାରେ ୩୦ ଜଣ ରୋଗୀ ଚିକିତ୍ସିତ ହେଉଥିଲେ; ସମସ୍ତ ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।
ଅନ୍ୟପକ୍ଷରେ ଡ଼ାକ୍ତରଙ୍କ ପରିବାର ଲୋକଙ୍କୁ ମଧ୍ୟ ହୋମ୍ କ୍ୱାରେଂଟାଇନରେ ରହିବାକୁ ପ୍ରଶାସନିକ ନିର୍ଦ୍ଦେଶ ରହିଛି । ଡ଼ାକ୍ତର ଘରେ ଏବଂ କର୍ମଚାରୀ ମାନେ ନର୍ସିହୋମ୍ ରେ କ୍ୱାରେଂଟାଇନରେ ରହିଛନ୍ତି ।
ବିମ୍ସି କମିଶନର ଚକ୍ରବର୍ତି ସିଂ ରାଠୋର ଏନେଇ ସୂଚନା ଦେଇ କହିଛନ୍ତି ଯେ, ଜଣେ କରୋନା ରୋଗୀ ଏହି ନର୍ସିଂହୋମକୁ ଚିକିତ୍ସା ପାଇଁ ଆସି ଚାଲିଯାଇଛନ୍ତି । ତାଙ୍କ ସଂସ୍ପଶରେ ସମ୍ପୃକ୍ତ ଡ଼ାକ୍ତର ଓ କେତକ କର୍ମଚାରୀ ମଧ୍ୟ ଆସିଥିଲେ । ତେଣୁ ନର୍ସିହୋମକୁ ସିଲ୍ କରାଯିବା ସହିତ ସମ୍ପୃକ୍ତ ନର୍ସିହୋମର ଡ଼ାକ୍ତର ଓ କର୍ମଚାରୀଙ୍କୁ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।