ଭୁବନ– ଢ଼େଙ୍କାନାଳ ଜିଲ୍ଲା ଭୁବନ ଏନଏସିରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୂଷୁଡି ପଡିଛି । ନିୟମିତ ଭାବେ ସଫା କରାନଯିବା, ଡ୍ରେନରୁ ମଇଳା ନିଷ୍କାସନ କରାନଯିବା ଓ ରକ୍ଷଣାବେକ୍ଷଣ ଅଭାବରୁରୁ ଅଧିକାଂଶ ଡ୍ରେନ ପୋତି ହୋଇ ପଡିଲାଣି ଓ ଅନେକ ସ୍ଥାନରେ ଡ୍ରେନ ନଥିବାରୁ ରାସ୍ତାରେ ପାଣିର ସୁଅ ଛୁଟୁଛି । ଡ୍ରେନ ପୋତା ପଡିଯିବା ଫଳରେ ଘର ପାଣି ଓ ବର୍ଷାଜଳ ନିଷ୍କାସନ ହୋଇନପାରି ରାସ୍ତାରେ ବୋହୁଛି । ରାସ୍ତା ପାଣି କାଦୁଅ ହୋଇ ନଷ୍ଟ ହେଉଛି । ୨ ନମ୍ବର ୱାର୍ଡ ନୂଆଭୁବନ ଅଂଚଳର ରାମଚନ୍ଦ୍ର ସାହୁଙ୍କ ଘର ଠାରୁ ୫୩ ନମ୍ବର ଜାତୀୟ ରାଜପଥ (ରେଙ୍ଗାଳି ଅଫିସ) ପର୍ଯ୍ୟନ୍ତ ଡ୍ରେନ କରିବା ନିମନ୍ତେ ସ୍ଥାନୀୟ ଅଧିବାସୀ ବାରମ୍ବାର ଏନଏସି କର୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ କରିଥିଲେହେଁ ଅଦ୍ୟାବଧି ଡ୍ରେନ ନିର୍ମାଣ ହୋଇନାହିଁ । ଖରାଦିନେ ଏହି ରାସ୍ତାରେ ପାଣି ଜମୁଥିବା ବେଳେ ବର୍ଷାଦିନେ ଅବସ୍ଥା ଅସମ୍ଭାଳ ହୋଇଥାଏ । ମୌସୁମୀ ବର୍ଷା ଆସିବା ପୂର୍ବରୁ ଏହି ଅଂଚଳରେ ଡ୍ରେନ ନିର୍ମାଣ କରିବା ପାଇଁ ଦାବି ହୋଇଛି; ଅନ୍ୟଥା ଲୋକମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ନିଷ୍ପତି ନେଇଛନ୍ତି ।
ଅନୁରୂପ ଭାବେ ୧ ନମ୍ବର ୱାର୍ଡ ଛତାମଠ ସମ୍ମୁଖରୁ କାଳୀମନ୍ଦିର ପର୍ଯ୍ୟନ୍ତ ଡ୍ରେନଟି ପୋତା ପଡିଯାଇଥିବା ବେଳେ ବାରମ୍ବାର ଆପତି ଅଭିଯୋଗ କରିବା ସତ୍ୱେ ଏନଏସି ପକ୍ଷରୁ ଡ୍ରେନରୁ ଆବର୍ଜନା ନିଷ୍କାସନ କରାଯାଉନଥିବାରୁ ରାସ୍ତାରେ ମଇଳା ପାଣି ଜମା ହୋଇ ସେଠାରେ ପୁତି ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ବିଭାଗୀୟ ଉଚ୍ଚ କର୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।