-
କ୍ୱାରେଣ୍ଟାଇନ୍ ଗଲେ ଜେଲ୍ ଡାକ୍ତର ଓ ୩ କର୍ମଚାରୀ
ବ୍ରହ୍ମପୁର : ଘରୋଇ ନର୍ସିଂହୋମ୍କୁ ଆସି ଫେରସ୍ତ ଯାଇଥିବା ଜଣେ ରୋଗୀ କରୋନା ପଜିଟିଭ୍ ଜଣାପଡିବା ପରେ ସଂପୃକ୍ତ ନର୍ସିଂହୋମ୍ ସିଲ୍ କରାଯାଇଛି । ସେଠାରେ ଥିବା ସମସ୍ତ ରୋଗୀଙ୍କୁ ବିଭିନ୍ନ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଡାକ୍ତର ଓ ନର୍ସିଂହୋମ୍ର ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ନର୍ସିଂହୋମ୍ ବନ୍ଦ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ତେବେ ନର୍ସିଂହୋମ୍ର କର୍ମଚାରୀ ଓ ଡାକ୍ତର ପଜିଟିଭ୍ କି ନୁହେଁ ପରୀକ୍ଷା କରାଯାଇନାହିଁ । ପ୍ରଥମେ ଡାକ୍ତରଙ୍କ ସ୍ୱାବ୍ ପରୀକ୍ଷା କରାଯିବା ପରେ ଯଦି ପଜିଟିଭ୍ ଆସିବ ତାହେଲେ ଅନ୍ୟମାନଙ୍କ ସ୍ୱାବ୍ ପରୀକ୍ଷା କରାଯିବ । ନର୍ସିଂହୋମ୍ରେ ଚିକିତ୍ସା କରୁଥିବା ଡାକ୍ତର ଜେଲ୍ରେ ମଧ୍ୟ ରୋଗୀଙ୍କୁ ଚିକିତ୍ସା କରୁଥିଲେ ।
ଗତକିଛି ଦିନ ତଳେ ଜଣେ ପ୍ରବାସୀ ଅଶୋକ ନଗର ୮ମ ଲାଇନ୍ରେ ଥିବ ଅର୍ଜୁନ୍ ନର୍ସିଂହୋମ୍କୁ ଚିକିତ୍ସା ପାଇଁ ଆସିଥିଲେ । ରୋଗୀ ଜଣକ ବାହାରୁ ଆସିଥିବା ଜଣାପଡିବା ପରେ ସେଠାରୁ ଅନ୍ୟତ୍ର ପଠାଯାଇଥିଲା । ତେବେ ସନ୍ଦେହଜନକ ଭାବେ ସଂପୃକ୍ତ ରୋଗୀଙ୍କ ସ୍ୱାବ୍ ପରୀକ୍ଷା କରାଯାଇଥିଲା । ମଙ୍ଗଳବାର ସଂପୃକ୍ତ ରୋଗୀଙ୍କ ସ୍ୱାବ୍ ରିପୋର୍ଟ କରୋନା ପଜିଟିଭ୍ ବାହାରିଛି । ଅନ୍ୟପକ୍ଷରେ ଗତକିଛିଦିନ ତଳେ ବ୍ରହ୍ମପୁର ଜେଲ୍ରେ ଦୁଇଜଣ ରୋଗୀ ପଜିଟିଭ୍ ବାହାରିଥିଲେ । ସେହି ରୋଗୀଙ୍କୁ ମଧ୍ୟ ଡାକ୍ତର ସୁଶାନ୍ତ କୁମାର ପାଣିଗ୍ରାହୀ ଚିକିତ୍ସା କରିଥିଲେ । ତେଣୁ ତାଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବା ସହ ତାଙ୍କ ସଂସ୍ପର୍ଶରେ ଥିବା ୩ଜଣ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍ରେ ରହିବାକୁ ନିର୍ଦ୍ଦେଶ ହୋଇଛି । ତେବେ ସେହି କର୍ମଚାରୀ ମାନେ ଅନ୍ୟମାନଙ୍କ ସଂସ୍ପର୍ଶରେ ଆସିଥିଲେ । ବିଏମ୍ସିର ଏକ ସ୍ୱତନ୍ତ୍ର ଟିମ୍ ଅଶୋକ ନଗର ୮ମ ଲାଇନ୍ରେ ଥିବା ଡାକ୍ତର ପାଣିଗ୍ରାହୀ ଯାଉଥିବା ନର୍ସିଂହୋମ୍କୁ ବନ୍ଦ କରିଦେଇଥିଲେ । ଏଠାରେ ୩୦ଜଣ ରୋଗୀ ରହିଥିଲେ । ସମସ୍ତ ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପକ୍ଷରେ ଡାକ୍ତର ପାଣିଗ୍ରାହୀଙ୍କୁ କ୍ୱାରେଣ୍ଟାଇନ୍ରେ ରହିବାକୁ ନିର୍ଦ୍ଦେଶ ଦିଆଯିବା ସହ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବାକୁ କୁହାଯାଇଛି । ଡାକ୍ତର ପାଣିଗ୍ରାହୀ ଶାନ୍ତିନଗର ସ୍ଥିତ ଘରେ ଏବଂ କର୍ମଚାରୀ ମାନେ ନର୍ସିଂହୋମ୍ରେ କ୍ୱାରେଣ୍ଟାଇନ୍ରେ ରହିଛନ୍ତି ।