ବ୍ରହ୍ମପୁର : ଏମ୍କେସିଜି ମେଡିକାଲ୍ କଲେଜ ଓ ବଡ ଡାକ୍ତରଖାନାର ଡାକ୍ତର ଓ ନର୍ସ କରୋନା ଆକ୍ରାନ୍ତ ହେବାପରେ କର୍ମଚାରୀମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । କରୋନା ପଜେଟିଭ ଆସିଥିବା ୪ଜଣ ଡାକ୍ତର ଓ ୮ଜଣ ନର୍ସଙ୍କ ଚିକିତ୍ସା ଏମ୍କେସିଜି ପରିସରରେ ଏକ ସଙ୍ଗରୋଧ ଗୃହରେ ଚାଲିଥିବା ବେଳେ ପ୍ରାୟ ୩୦ଜଣ କର୍ମଚାରୀଙ୍କୁ ସଙ୍ଗରୋଧରେ ରହିବା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି । ବଡ ଡାକ୍ତରଖାନାର କର୍ମଚାରୀ କରୋନାରେ ଆକ୍ରାନ୍ତ ହେବାପରେ ଏକ ସ୍ୱତନ୍ତ୍ର ଟିମ୍ ଦ୍ୱାରା ପର୍ଯ୍ୟାୟକ୍ରମେ ସମସ୍ତ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । କର୍ମଚାରୀଙ୍କ ଧର୍ମାଲ ସ୍କ୍ରନିଂ କରି ଶରୀରର ତାପମାତ୍ରା ଯାଞ୍ଚ ହେଉଛି । ମଙ୍ଗଳବାର ସୁଦ୍ଧା ପ୍ରାୟ ୩୦ଜଣ ଡାକ୍ତର, ନର୍ସ, କର୍ମଚାରୀଙ୍କୁ ଗୃହ ସଙ୍ଗରୋଧରେ ରହିବାକୁ ଚିହ୍ନଟକରି ମେଡିକାଲ୍ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ବଡ ଡାକ୍ତରଖାନାର ବିଭିନ୍ନ ବିଭାଗକୁ ପ୍ରତିଦିନ ବିଶୋଧନ କରାଯାଉଛି । ଦମକଳ ବାହିନୀ ପକ୍ଷରୁ ଡାକ୍ତରଖାନା ପରିସରରେ ବିଶୋଧନ କରାଯାଉଥିବା କଲେଜ ଅଧିକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି । ସୁରଥ ଫେରନ୍ତା ଜଣେ ପଜେଟିଭ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ୧୨ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହେବା ଖବର ପ୍ରଚାରିତ ହେବାପରେ ରୋଗୀ ଓ କର୍ମଚାରୀଙ୍କ ମହଲରେ ଛନକା ପଶିଯାଇଛି ।
Related Stories
November 23, 2024