ବ୍ରହ୍ମପୁର : ବରିଷ୍ଠ ବିଜେଡି ନେତା ସ୍ୱର୍ଗତ ଅଲେଖ ଚୌଧୁରୀଙ୍କ ଦ୍ୱାଦଶ ଦିବସରେ ଜିଲ୍ଲା ବିଜେଡି ପକ୍ଷରୁ ଶୋକ ପ୍ରକାଶ କରାଯାଇ ଏକ ଶୋକସଭା କରାଯାଇଛି । ସ୍ଥାନୀୟ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ଜିଲ୍ଲା ବିଜେଡି ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଯୋଗଦେଇ ଅଲେଖ ବାବୁଙ୍କ ରାଜନୀତିକ ଜୀବନ ବିଷୟରେ କହିବା ସହ ଗରିବ ଗୁରୁବା ଓ ଅସହାୟକଙ୍କୁ ସହଯୋଗକରି ଆଜି ତାଙ୍କର କୀର୍ତ୍ତି ଛାଡି ଯାଇଥିବା ପ୍ରକାଶ କରିଥିଲେ । ଶୋକସଭାରେ ଅନ୍ୟମାନଙ୍କ ମଧ୍ୟରେ ମହିଳା ସଭାନେତ୍ରୀ ସଂଘମିତ୍ରା ଦଳାଇ, ମୁକୁନ୍ଦ ଗୌଡ, ଆର୍.ମୂରଲୀମୋହନ, ସୁବାଷ ମହାରଣା, ଭଗବାନ ଗନ୍ତାୟତ, ସଞ୍ଜୟ ଜେନା, ଯୁବ ବିଜେଡି ସଭାପତି ଏନ୍.ଧନଞ୍ଜୟ ରାଓ, ଜଗନ୍ନାଥ ସାବତ, ମମତା ବିଷୋୟୀ, ବିଜୟ ଭାସ୍କର ସିଂ ସାମନ୍ତଙ୍କ ସମେତ ବହୁ ବିଜେଡି ନେତା ଓ ନେତ୍ରୀ ଉପସ୍ଥିତରହି ତାଙ୍କର ଅମର ଆତ୍ମାର ସଦ୍ଗତି ସହ ଶୋକସନ୍ତପ୍ତ ପରିବାରବର୍ଗକୁ ପ୍ରଭୁ ଜଗନ୍ନାଥ ସହାୟକ ହୁହନ୍ତୁ ବୋଲି ମତବ୍ୟକ୍ତ କରିଥିଲେ । ସ୍ୱର୍ଗତ ଚୌଧୁରୀଙ୍କ ଗୋଷାଣୀନୂଆଗାଁସ୍ଥିତ ପାଣିଗ୍ରାହୀ ସାହିରେ ଥିବା ବାସଭବନକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗୋପାଳପୁର ବିଧାୟକ ଡା. ପ୍ରଦୀପ କୁମାର ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଜିଲ୍ଲା ବିଜେଡି ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ସମେତ ଜିଲ୍ଲା ବିଜେଡି ଓ ମହାନଗର ବିଜେଡିର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।