-
ବାଲେଶ୍ଵରରେ ପ୍ରଥମ କରି ଆରମ୍ଭ ହେଲା ମଡ୍ ଆର୍ଟର ନୂଆ ଢାଞ୍ଚା
-
ବଢୁଛି ମଡ୍ ଆର୍ଟ ପ୍ରତି କଳାକାରଙ୍କ ଆଗ୍ରହ
ବାଲେଶ୍ବର, ୮/୬ : (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ)
ରେମୁଣା ବ୍ଲକର କୋଶମ୍ବ ନଗରରେ ଶିଳ୍ପୀ କେଶୁଦାସଙ୍କ ତତ୍ତ୍ୱାବଧାନରେ ‘କନ୍ୟା ଅନମୋଲ ହୈ’ ଅନୁଷ୍ଠାନ ପକ୍ଷରୁ ଆଜି ଏକ ମଡ୍ ଆର୍ଟ କର୍ମଶାଳା ଆୟୋଜିତ ହୋଇଛି ।
ଏହି କର୍ମଶାଳାରେ କନ୍ୟାସନ୍ତାନର ସମସ୍ୟା ଓ ବିକାଶ ଉପରେ ମଡ୍ ଆର୍ଟିଷ୍ଟ ମାନେ ଅଭିନୟ କରିଥିଲେ । ଏଥିରେ ୭ ଜଣ ବାଳକ ଓ ପୁରୁଷ ତଥା ୮ ଜଣ ବାଳିକା ଓ ମହିଳା ଅଂଶ ଗ୍ରହଣ କରି କର୍ମଶାଳାକୁ ସଫଳ କରାଇଥିଲେ । ଏହାକୁ ନିର୍ଦ୍ଦେଶନା ଦେଇଥିଲେ ବରିଷ୍ଠ ଶିଳ୍ପୀ କେଶୁଦାସ।
ଏହି କର୍ମଶାଳାରେ ଯେଉଁ ଦୃଶ୍ୟସବୁ ମଡ୍ ଆର୍ଟ ମାଧ୍ୟମରେ କଳାକାରମାନେ ଅଭିନୀତ କଲେ ସେସବୁକୁ ନେଇ ଏକ ଡକୁମେଣ୍ଟାରୀ ଫିଲ୍ମ ମଧ୍ୟ କରାଯିବ ବୋଲି ନିର୍ଦ୍ଦେଶକ ଶ୍ରୀଦାସ ଜଣାଇଛନ୍ତି। ଏଥିରେ ଗୁରୁପ୍ରସାଦ ଦାସ, ପ୍ରିୟଙ୍କା ସାମଲ, ମୋନାଲୀ ଦାସ, ରୂପାଲି ଦାସ, ଜ୍ୟୋତ୍ସ୍ନା ମାରାଣ୍ଡି, ରଞ୍ଜନ ମାରାଣ୍ଡି, ତୁଳସୀ ମାଝି, ମାନସୀ ମାଝି, ଆରୁସୀ ମାଝି, ଅରୁଣ ବାରିକ, କୈଳାଶ ଦାସ, ପ୍ରକାଶ ମହାନ୍ତି, ବିକାଶ ସାମଲ, କ୍ରିଷ୍ଣା ପ୍ରଧାନ ପ୍ରମୁଖ କଳାକାର ମାନେ ଭାଗ ନେଇଥିଲେ।
ଏଥିରେ ଭିଏଫଏକ୍ସ ନିର୍ଦ୍ଦେଶକ ରଞ୍ଜନ ଶୁକ୍ଳ, କ୍ୟାମେରା ନିର୍ଦ୍ଦେଶକ ପ୍ରୀତମ ନାୟକ, କ୍ୟାମେରାମ୍ୟାନ୍ ଏଲସିଏନ ଲିପୁ ଯୋଗ ଦେଇଥିବା ବେଳେ ଅଙ୍କିତ ଦାସ, ଚିନୁ ଗୋପାଳ, ମିନତୀ ଦାସ, କନକଲତା ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଲକଡାଉନ ଯୋଗୁଁ ଭୁବନେଶ୍ୱରର ଉତ୍କଳ ହାଇଟସ୍ ରୁ ଭିସି ମାଧ୍ୟମରେ ‘କନ୍ୟା ଅନମୋଲ ହୈ’ର ମୁଖ୍ୟ ସରୋଜ ଦାଶ ଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ।
ପ୍ରକାଶ ଥାଉ କି ମଡ୍ ଆର୍ଟରେ ପ୍ରତ୍ୟେକ କଳାକାର ମଡ୍ ବା କାଦୁଅକୁ ସର୍ବାଙ୍ଗରେ ଏକ କଳାତ୍ମକ ଢଙ୍ଗରେ ବୋଳି ଅଭିନୟ କରିଥାନ୍ତି। ନୂଆ କନସେପ୍ଟ ହୋଇଥିଲେ ହେଁ ଏହି କଳା ମାଧ୍ୟମରେ ସାମ୍ପ୍ରତିକ ଡିଜିଟାଲ ସମୟରେ ସୋସିଆଲ ମିଡିଆ ମାଧ୍ୟମରେ ସରଳ ସୁନ୍ଦର ଓ ଆକର୍ଷଣୀୟ ଢଙ୍ଗରେ ମନର ଭାବକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହଜ। ବାଲେଶ୍ଵରରେ ଏହି ମଡ୍ ଆର୍ଟ ପ୍ରଥମଥର ପାଇଁ ଶିଳ୍ପୀ କେଶୁଦାସ ନିଜେ ଆର୍ଟିଷ୍ଟ ହୋଇ ୟୁଟ୍ୟୁବ୍ ଚ୍ୟାନାଲରେ ପ୍ରସାରଣ କରିଥିଲେ।
ପରେ ପରେ କେହି କେହି ଏଥିରେ ଆଗ୍ରହ ପ୍ରକାଶ କରିବାରୁ ଏହି କଳାର ପ୍ରଚାର ଓ ପ୍ରସାର ପାଇଁ ଇତିମଧ୍ୟରେ ଦୁଇଥର କର୍ମଶାଳାର ଆୟୋଜନମଧ୍ୟ ହୋଇଛି । ‘ବନ୍ଦେ ଉତ୍କଳ ଜନନୀ’ ରାଜ୍ୟ ସଂଗୀତରେ ହୋଇଥିବା ମଡ୍ ଆର୍ଟ ଅଭିନୟଟି ଗଣମାଧ୍ୟମ ତଥା ସୋସିଆଲ ମିଡିଆରେ ଏକପ୍ରକାର ଭାଇରାଲ ହୋଇଥିଲା ଏବଂ ତାପରେ ଏହି କଳା ପ୍ରତି ଧୀରେ ଧୀରେ ଯୁବକଯୁବତୀଙ୍କ ଅନୁରକ୍ତି ବଢୁଛି ବୋଲି ଶିଳ୍ପୀ ଶ୍ରୀଦାସ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି।