ଭୁବନେଶ୍ୱର – ଆଜି ସକାଳ ୮ ଟାରେ ନିରାଡ଼ମ୍ବରଭାବେ ସାମାଜିକ ଦୂରତା ଅବଲମ୍ବନ କରି ଭୂମିଭୂଜନ କରିବେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ।
କଟକ-ଭୁବନେଶ୍ୱର ଜାତୀୟ ରାଜପଥର ହଂସପାଳ ଛକରେ ଫ୍ଲାଇ ଓଭରବିଜ୍ ନଥିବାରୁ ଟ୍ରାଫିକ୍ ସମସ୍ୟାରେ ଦୁର୍ଘଟଣାରେ ବହୁ ଧନଜୀବନ ହାନିହୋଇ ହଂସପାଳ ଛକ ମରଣଯନ୍ତା ପାଲଟି ଅଂଚଳବାସୀଙ୍କ ପାଇଁ ସବୁବେଳେ ଦୁର୍ଘଟଣା ଜନିତ ଆସନ୍ନ ମୃତ୍ୟୁକୁ ଆମନ୍ତ୍ରଣ କରୁଥିଲା । ଏ ସମ୍ପର୍କରେ ସ୍ଥାନୀୟ ନହରକଂଟା, ହରିଦାସପୁର, ରୁଦ୍ରପୁର, ସୁନ୍ଦରାପାଟଣା, ବଙ୍ଗୁଆରୀ, ହଂସପାଳ, ବାଲିଅନ୍ତା, ଭିଙ୍ଗାରପୁର ଅଂଚଳର ଜନସାଧାରଣ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥିଲେ । ପୂର୍ବତନ ବିଧାୟକ ଭାଗୀରଥି ବଡ଼ଜେନା, ପ୍ରିୟଦର୍ଶୀ ମିଶ୍ର, ବିଧାୟକ ସୁଶାନ୍ତ କୁମାର ରାଉତ, ଡଃ ଅରବିନ୍ଦ ଢାଲି, ପୂର୍ବତନ ଅର୍ଥମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା ବିଧାନସଭାରେ ଓ ପତ୍ର ମାଧ୍ୟମରେ କ୍ରମାଗତ ଭାବେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥିଲେ । ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଗତ ନିର୍ବାଚନ ସମୟରେ ଏଠାରେ ଫ୍ଲାଇ ଓଭରବ୍ରିଜ୍ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶ୍ରୁତି ରକ୍ଷା କରି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା କରି ଜାତୀୟ ରାଜପଥ ପ୍ରାଧିକରଣ କର୍ତୃପକ୍ଷ କର୍ମକର୍ତାଙ୍କୁ ଆଣି କ୍ଷେତ୍ର ପରିଦର୍ଶନ କରାଇ ଏ ବାବଦରେ ଅର୍ଥର ବ୍ୟୟ ବରାଦ କରାଇଛନ୍ତି ।
ଏଥିନେଇ ଅଂଚଳବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ଓ ସମସ୍ତ ଅଂଚଳବାସୀ ସାଂସଦଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି ।