ଢ଼େଙ୍କାନାଳ– ପାଇଲଟ୍ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଆଜି ସକାଳ ପ୍ରାୟ ୬ଟା ୪୦ ମିନିଟ୍ ସମୟରେ ଏଭଳି ଏକ ବିମାନ ଦୁର୍ଘଟଣା ଘଟିଯାଇଛି ଢ଼େଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ବିରାଶାଳ ଏୟାରରଷ୍ଟ୍ରିପରେ । ମୃତକ ଦ୍ୱୟ ହେଲେ ଜଣେ ଟ୍ରେନି ପାଇଲଟ୍ (ପ୍ରଶିକ୍ଷଣକାରୀ) ମନୀଷା ଫତିମା ଓ ଅନ୍ୟ ଜଣେ ଟ୍ରେନର୍ (ପ୍ରଶିକ୍ଷକ) ସନ୍ଦୀପ ଝା । ପାଇଲଟ୍ ଟ୍ରେନିଂ ଚାଲିଥିବା ବେଳେ ବିମାନଟି କୌଣସି କାରଣରୁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନଟି ଉଡ଼ାଣ ଭରିବାର ୧ ମିନିଟ୍ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି । ଦୁର୍ଘଟଣା ପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କାମାକ୍ଷାନଗର ମେଡ଼ିକାଲରେ ଭର୍ତି କରାଯାଇଥିଲା । ହେଲେ ସେଠାରେ ଡ଼ାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ । ତେବେ କିପରି ଓ କେଉଁ ପରିସ୍ଥିତିରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ବିଭାଗ ପକ୍ଷରୁ ସେନେଇ ଅଧିକ ତଦନ୍ତ ଜାରୀ ରହିଛି । ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନେ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଛନ୍ତି ।
ଅନ୍ୟପକ୍ଷରେ ପ୍ରଶିକ୍ଷକ ପାଇଲଟ୍ ଓ ପ୍ରଶିକ୍ଷଣକାରୀଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛି ଜିଏଟିଆଇ । ଡ଼ିଜିସିଏ ପକ୍ଷରୁ ଘଟଣାର ତଦନ୍ତ କରାଯିବ ବୋଲି ଜିଏଟିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି।