
-
ଶ୍ରେଷ୍ଠ ଡକୁ-ଫିଲ୍ମ କାଟାଗୋରୀରେ ‘କୋଭିଡ୍ ୧୯ ଦ କ୍ରିମିଂ ସାନ୍’ ପାଇଲା ପୁରସ୍କାର
-
ଭାଗ ନେଲେ ଭାରତ ସମେତ ଇରାନ, ଆଫଗାନିସ୍ତାନ, ଫ୍ରାନ୍ସ, ପର୍ତ୍ତୁଗାଲ, ଇଟାଲୀ, ନରୱେ, ଆମେରିକା ଏବଂ କଙ୍ଗୋ ଭଳି ଦେଶ
ବାଲେଶ୍ୱର, ୬/୬ : (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) କୋଭିଡ୍ ୧୯ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ-୨୦୨୦ CIFFରେ ବାଲେଶ୍ୱରର ବିଶିଷ୍ଟ ଶିଳ୍ପୀ ତଥ ସାମାଜିକ କର୍ମୀ କେଶୁଦାସ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ଦ୍ଦେଶକ ଭାବରେ ପୁରସ୍କାର ଲାଭ କରିବା ସହ ବାଲେଶ୍ଵର ପାଇଁ ଗୌରବ ଆଣିଛନ୍ତି।
ମଇ ୨୩ରୁ ଜୁନ ୩ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ଜୁମ୍ ପ୍ଲାଟଫର୍ମରେ ଅନୁଷ୍ଠିତ ହୋଇଥିବା କୋଭିଡ୍ ୧୯ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ ଅବସରରେ କେଶୁଦାସ ଙ୍କ ନିର୍ଦ୍ଦେଶିତ ‘କୋଭିଡ୍ ୧୯ ଦ ସ୍କ୍ରିମିଂ ସାନ୍’ ଶ୍ରେଷ୍ଠ ଡକୁ-ଫିଲ୍ମ ଭାବେ ଚୟନିତ ହୋଇଥିଲା। ବାଲେଶ୍ଵର ଜିଲ୍ଲାର ନୀଳଗିରି ଉପଖଣ୍ଡ ମହିଷାପଟା ପଞ୍ଚାୟତ ଅନ୍ତର୍ଗତ ଶାଳବଣୀ ଗ୍ରାମରେ ବସବାସ କରୁଥିବା ଆଦିବାସୀ ଭୂମିଜ ସଂପ୍ରଦାୟର ଅଧିବାସୀଙ୍କ ଜୀବନ ଓ ଜୀବିକା ଉପରେ କୋଭିଡ ୧୯ର ପ୍ରଭାବ ଓ ପ୍ରତିକାର ଉପରେ ଆଧାରିତ ଥିଲା ଏଇ ଡକୁମେଣ୍ଟାରୀ ଫିଲ୍ମଟି।
‘ବଣଧୂଳିର ଫୁଲ’ ନାମକ ସ୍ଥାନୀୟ ଏକ ଅନୁଷ୍ଠାନ ଦ୍ବାରା ପ୍ରଯୋଜିତ ଏବଂ କେଶୁଦାସଙ୍କ ନିର୍ଦ୍ଦେଶିତ ଏହି ତଥ୍ୟଭିତ୍ତିକ ଚଳଚ୍ଚିତ୍ରଟି ଶ୍ରେଷ୍ଠ ଡକୁ-ଫିଲ୍ମ ବର୍ଗରେ ପୁରସ୍କାର ପାଇଥିବାରୁ କେଶୁଦାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବାଲେଶ୍ଵରବାସୀ। ‘ବଣଧୂଳିର ଫୁଲ’ର ଅଧ୍ୟକ୍ଷ ବିଜୟ କୁମାର ଆଚାର୍ଯ୍ୟ ଏବଂ ‘ଗୁଞ୍ଜ’ର ସୁରେଶ କୁମାରଙ୍କୁ ଏହି ସଫଳତା ପାଇଁ କେଶୁଦାସ କୃତଜ୍ଞତା ଜଣାଇଛନ୍ତି। କେଶୁଦାସ ବିଗତ ତିନି ବର୍ଷ ଧରି ଆଦିବାସୀ କଳାସଂସ୍କୃତିର ବିକାଶ ଦିଗରେନିରନ୍ତର କାର୍ଯ୍ୟ କରିବା ସହ ସେମାନଙ୍କ ଜୀବନଚର୍ଯ୍ୟା ଉପରେ ଅନୁଧ୍ୟାନ ଜାରି ରଖିଥିବାରୁ ଏହି ପୁରସ୍କାର ଶ୍ରୀଦାସଙ୍କୁ ପ୍ରେରିତ କରବ ବୋଲି ଅଧ୍ୟକ୍ଷ ଶ୍ରୀ ଆଚାର୍ଯ୍ୟ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।
କୋଭିଡ୍ ୧୯ ଶୀର୍ଷକାଙ୍କିତ ଏହି ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବର ଉଦ୍ଦେଶ୍ୟ ହେଉଛି ନୂତନ ତଥା ଅଭିଜ୍ଞ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଏକତ୍ର ପ୍ରୋତ୍ସାହିତ କରିବା, ତଥା ସେମାନଙ୍କର ସାମାଜିକ ତଥା ସାଂସ୍କୃତିକ ସମନ୍ୱୟତା ଦୃଷ୍ଟିରୁ ଭାରତ ଏବଂ ଅନ୍ୟ ଦେଶ ମଧ୍ୟରେ ଭାବ ବିନିମୟ, ଜ୍ଞାନ ଓ ସୂଚନା ସଂପର୍କିତ ଅଭିଧାରଣା ଏବଂ ସାଂସ୍କୃତିକ ଆଦାନପ୍ରଦାନର ଏକ ସୁଯୋଗ ତିଆରି କରିବା। ବିଶେଷ କରି ନୂଆ ଚଳଚ୍ଚିତ୍ର ନିର୍ମାତା ଓ ବ୍ୟକ୍ତତ୍ଵଙ୍କୁ ଚୟନ କରି ବିଶିଷ୍ଟଙ୍କ ସହ ସେମାନଙ୍କୁ ପରିଚିତ କରାଇବା ହେଉଛି ସିଫ୍(CIFF)ର ମୂଳମନ୍ତ୍ର।
ଏହି ଫିଲ୍ମ ଫେଷ୍ଟିଭାଲରେ ରାକେଶ ମୋଇରଙ୍ଗଥେମ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ଗ୍ରହଣ କରିଥିବା ବେଳେ ବିଦେଶୀ କ୍ୟାଟାଗୋରୀରେ ନରଓ୍ଵେ ‘ଗ୍ଲୋବାଲ୍ ଇକୋ’ ପାଇଁ ଚଳଚ୍ଚିତ୍ର ସି+ (C+)କୁ ‘ସ୍ୱର୍ଣ୍ଣ ଅଶୋକା ଗୋଲଡ୍’ ପ୍ରଦାନ କରାଯାଇଛି। ଶ୍ରେଷ୍ଠ ଡେବ୍ୟୁ ନିର୍ଦ୍ଦେଶକ ପୁରସ୍କାର ପାଇଛନ୍ତି ଅନୁଷ୍କା ପ୍ରିୟଦର୍ଶିନୀ।
ଏହି ସିଫ୍ (CIFF) ଆୟୋଜନ ଦ୍ଵାରା ଚଳଚ୍ଚିତ୍ର ଏବଂ ଡକ୍ୟୁମେଣ୍ଟାରୀ ନିର୍ମାଣ ମାଧ୍ୟମରେ ବିଶ୍ଵ ସମୁଦାୟଙ୍କ ମଧ୍ୟରେ ଏକ ମିତ୍ରପଣ ସୃଷ୍ଟି କରିବା ସହିତ ପାରସ୍ପରିକ ସହଯୋଗକୁ ପ୍ରୋତ୍ସାହିତ କରାଯାଇପାରିବ ବୋଲି ଫେଷ୍ଟିଭାଲ୍ ମୁଖ୍ୟ ଜଗନ୍ନାଥ ପାଣି ଓ ଅଧ୍ୟକ୍ଷ ସତ୍ୟବ୍ରତ ଜେନା ଗଣମାଧ୍ୟମକୁ କହିଛନ୍ତି।
ସେମାନେ ଆହୁରି କହିଛନ୍ତି CIFF କେବଳ ଏକ ଉତ୍ସବ ନୁହେଁ, ଏହା ଆଗାମୀ ଦିନରେ ଚଳଚ୍ଚିତ୍ର ପ୍ରଶଂସକ ଏବଂ ଚଳଚ୍ଚିତ୍ର ଦର୍ଶକଙ୍କ ସହ ବିଶ୍ଵକୁ ଯୋଡିବାର ଅବସର ସୃଷ୍ଟି କରିବ। ବିଶେଷକରି ସିରିୟସ୍ ଚଳଚ୍ଚିତ୍ର ନିର୍ମାତା ଏବଂ ସେମାନଙ୍କ ସହଯୋଗୀଙ୍କୁ ଚଳଚ୍ଚିତ୍ର ନିର୍ମାଣର କଳାକୌଶଳ ବିଷୟରେ ଅଧିକ ବୈଷୟିକ ଜ୍ଞାନ ଦେବ।ଏହି ଫେଷ୍ଟିଭାଲ୍ ସତ୍ୟବ୍ରତ ଜେନା, ଜଗନ୍ନାଥ ପାଣି, ଭି.ଭି. ମହେଶ୍ୱର ରାଓ, ବିଭାସ ବନ୍ଦୋପାଧ୍ୟାୟଙ୍କୁ ନେଇ ଆରମ୍ଭ କରାଯାଇଛି।
ଏଥର ଯେଉଁ ଜୁରି ସଦସ୍ୟ ଥିଲେ ସେମାନେ ହେଲେ ମାରିଆନ୍ନେ ବୋର୍ଗୋ (ଫ୍ରାନ୍ସ), ଏମ୍. ମଣିରାମ (ଭାରତ), କ୍ଵାଦ୍ରତୁଲହା ଟାଗଭି (ଆଫଗାନିସ୍ତାନ) ଏବଂ ରିଚାର୍ଡ (କଙ୍ଗୋ)। ଜୁମ୍ ଅନଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ ଏହା ଏକ ପଞ୍ଚଦିବସୀୟ ଇଭେଣ୍ଟ ଥିଲା, ଯେଉଁଠାରେ ୧୦୩ ଟି ଭିଡିଓ ଏବଂ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ ହୋଇଥିଲା ଯାହାକୁ ବୈଷୟିକ ଟିମ୍ ପି. ଶ୍ରୀନିବାସ ରାଓ, ମହମ୍ମଦ ଜୁନୈଦ୍ ସାଲେହିଁ ଏବଂ କିରଣ ପଞ୍ଜାବୀ ପ୍ରମୁଖ ପରିଚାଳନା କରିଥିଲେ।
ଏହି ଆନ୍ତର୍ଜାତିକ ଉତ୍ସବରେ ଭାରତ, ଇରାନ, ଆଫଗାନିସ୍ତାନ, ଫ୍ରାନ୍ସ, ପର୍ତ୍ତୁଗାଲ, ଇଟାଲୀ, ନରୱେ, ଆମେରିକା ଏବଂ କଙ୍ଗୋ ଭଳି ଦେଶମାନେ ଅଂଶଗ୍ରହଣ କରିଥିବା ବେଳେ ଦିନକୁ ଦିନ ଲକଡାଉନ୍ ସହିତ ସଂଗ୍ରାମ କରିବା ଏବଂ ସମଗ୍ର ବିଶ୍ୱରେ କରୋନା ମହାମାରୀ ବିପକ୍ଷରେ ଲଢିବାର ଏକ ସକାରାତ୍ମକ ବାର୍ତ୍ତା ଦିଆଯାଇଥିଲା ସମଗ୍ର ବିଶ୍ଵକୁ।
ଆୟୋଜକମାନେ ସୂଚନା ଦେଇ କହିଛନ୍ତି ଯେ ଡିସେମ୍ବର ମାସରେ CIFF ତାର ଦ୍ୱିତୀୟ ସଂସ୍କରଣ ସହିତ ନୂଆ ଭାବନା ସହ ଆସିବ।