-
ତଦନ୍ତ ରିପୋର୍ଟକୁ ଅପେକ୍ଷା: ବିଡିଓ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁକୁଡାଖଣ୍ଡି ବ୍ଳକ୍ ପାନୀୟ ଜଳ ଯୋଗାଣ ବିଭାଗ ଅଧିକାରୀଙ୍କ ମନମୁଖି କାର୍ଯ୍ୟ ନେଇ ଏବେ ବ୍ଲକ୍ କର୍ତ୍ତୃପକ୍ଷଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି । ରୋହିଗାଁ ପଞ୍ଚାୟତ ନଳିହାଡ ଗ୍ରାମର ଲେଙ୍କା ସାହିରେ ଜଣେ ବ୍ୟକ୍ତିଙ୍କ ଜମିରେ ସରକାରୀ ନଳକୂପ ଖନନ ହୋଇଥିବା ନେଇ ଅଭିଯୋଗ ଆସିବାପରେ ବ୍ଲକ୍ ଜଳ ଯୋଗାଣ ବିଭାଗର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠିଛି । ନଳିହାଡ ଗ୍ରାମରେ ପାନୀୟ ଜଳ ପ୍ରକଳ୍ପ ଅଧପନ୍ତରିଆ ରହିଛି । ପୋଖରୀଗୁଡିକ ନିୟମିତ ସଫା ନହେବା କାରଣରୁ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ପ୍ରାୟ ସବୁ ପୋଖରୀ ଏବେ ଅନୁପଯୋଗୀ ହୋଇଛି । ଦୀର୍ଘଦିନର ଦାବିପରେ ପାନୀୟ ଜଳ ଯୋଗାଣ ବିଭାଗ ନଳିହାଡ ଗ୍ରାମରେ ନଳକୂପଟିଏ ସ୍ଥାପନ କରିଥିଲା । କିନ୍ତୁ ସମୂହ ସ୍ୱାର୍ଥକୁ ଭୁଲି ଜଣେ ବ୍ୟକ୍ତିଙ୍କ ଖଳାରେ କିପରି ନଳକୂପ ଖନନ କରାଗଲା ତାକୁ ନେଇ ଏବେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାସହ ଏହାର ତଦନ୍ତକରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗଞ୍ଜାମ ଜିଲ୍ଲାପାଳ ଓ ବ୍ଲକ୍ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏ ସମ୍ପର୍କରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ରଙ୍କ ସହ ଯୋଗାଯୋଗ ବେଳେ ସେ କହିଛନ୍ତି ଯେ, ଅଭିଯୋଗ ଆସିଛି । ଏହାର ସଠିକ୍ ତଦନ୍ତ ପାଇଁ ଏକ ଟିମ୍ ଗଠନ କରାଯାଇ ଗ୍ରାମକୁ ପଠାଯାଇଛି । ଅନୁଧ୍ୟାନ ଓ ତଦନ୍ତ ରିପୋର୍ଟ ଆସିବାପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେପଟେ ଗ୍ରାମବାସୀଙ୍କ ଠାରୁ ଅଭିଯୋଗପାଇ ନଳକୂପ ଖନନ କରିଥିବା ଠିକା ସଂସ୍ଥାର ବିଲ୍ ପୈଠ କରାଯାଇନଥିବା ବିଡିଓ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।