ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲର ବିଭିନ୍ନ ଅଞ୍ଚଳର ୨୧ଜଣ ଓଡ଼ିଆ ଯୁବତୀ ମୁମ୍ବାଇରେ ଫଶି ରହିଥିବା ନେଇ ସୂଚନା ମିଳିଛି । ସେମାନେ ଏକ ଚିଙ୍ଗୁଡି କାରଖାନାରେ ଶ୍ରମିକ ଭାବେ କାମ କରୁଥିବା ଜଣାଯାଇଛି । ସେମାନେ ଦେଇଥିବା ଭିଡିଓ ମାଧ୍ୟମରେ ସୂଚନା ପ୍ରକାରେ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର, ଭଞ୍ଜନଗର, ବେଲଗୁଣ୍ଠା ଅଞ୍ଚଳର ୨୧ଜଣ ଯୁବତୀ ମୁମ୍ବାଇର ଏକ ଚିଙ୍ଗୁଡି କାରଖାନାରେ ଶ୍ରମିକ ଭାବେ କାମ କରୁଥିଲେ । ସେମାନଙ୍କୁ ପୋଲସରା ବ୍ଲକ୍ କଳମା ଗ୍ରାମର ଜଣେ ଠିକାଦାର ନେଇ ସେଠାରେ କାମ କରାଉଥିଲେ । କିନ୍ତୁ ଲକ୍ ଡାଉନ୍ ପରଠାରୁ ଚିଙ୍ଗୁଡି କାରଖାନା ମାଲିକ ସେମାନଙ୍କୁ ଛାଡୁ ନାହାଁନ୍ତି ଓ କହୁଛନ୍ତି ଯେ, ଉକ୍ତ ଠିକାଦାରଙ୍କୁ ୨୧ଜଣ ଯୁବତୀଙ୍କ ପାରିଶ୍ରମିକ ବାବଦରେ ୨ଲକ୍ଷ ଟଙ୍କା ନେଇ ପଳାଇଛନ୍ତି । ଏଣୁ ସେ ଏମାନଙ୍କୁ ଛାଡି ପାରିବେନି । ସେମାନଙ୍କୁ ମାସରେ ମାତ୍ର ୫ଦିନ କାମ କରିବାକୁ ଦିଆଯାଉଛି । ଏଥିରୁ ଖାଇବା ପାଇସା ବି ଯୋଗାଡ ହୋଇପାରୁନି ବୋଲି ସେମାନେ ଭିଡିଓ ମାଧ୍ୟମରେ କହିବା ସହ ୨୧ଜଣ ଯୁବତୀଙ୍କୁ ସେଠାରୁ ମୁକୁଳାଇବା ପାଇଁ ଭିଡିଓ ମାଧ୍ୟମରେ ନିବେଦନ କରିଛନ୍ତି ।