ଭୁବନେଶ୍ୱର– ସଟ୍ଡାଉନ୍ ଘୋଷଣା ହୋଇଥିବା ୧୧ ଜିଲ୍ଲାରେ ଶନିବାର, ରବିବାର ଦିନ ହେବାକୁ ଥିବା ମାଟ୍ରିକ୍ ଖାତାଦେଖା ପ୍ରକ୍ରିୟା ବନ୍ଦ ରହିଛି । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏବି ସୂଚନା ଦିଆ ଯାଇଛି । ଆଜି ଶନିବାର ଦିନ ଏହି ୧୧ ଜିଲ୍ଲାରେ ଖାତା ଦେଖା ହୋଇନଥିବାବେଳେ ଆସନ୍ତାକାଲି ବି ଖାତା ଦେଖାକୁ ବାତିଲ କରାଯାଇଛି ।
ଜୁନ୍ ମାସ ସାରା ସଟ୍ଡାଉନ୍ ସମୟରେ ଖାତା ଦେଖା ବନ୍ଦ ରହିବ ବୋଲି ସୂଚନା ଦିଆ ଯାଇଛି । ତେବେ ଅନ୍ୟ ଜିଲ୍ଲା ଗୁଡ଼ିକରେ ମାଟ୍ରିକ ମୂଲ୍ୟାୟନ୍ ପୂର୍ବ ନିୟମ ମୁତାବକ ଜାରି ରହିବ ।
ଯାତାୟତ ଅସୁବିଧାକୁ ଦୃଷ୍ଟିରେ ରଖି ସଟ୍ଡାଉନ୍ ସମୟରେ ମୂଲ୍ୟାୟନ ବନ୍ଦ ରଖିବାକୁ ଓଷ୍ଟା ଓ ରାଜ୍ୟ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ଦାବି ହୋଇଥିଲା ।
କରୋନା ମୁକାବିଲା ପାଇଁ ଗଞ୍ଜାମ, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର ଓ ଖୋର୍ଦ୍ଧା ଜିଲ୍ଲାରେ ସଟ୍ଡାଉନ୍ ଘୋଷଣା ହୋଇଛି । ମାଟ୍ରିକ୍ ଖାତାଦେଖା ପାଇଁ ୬୦ ଟି ମୂଲ୍ୟାୟନ୍ କେନ୍ଦ୍ର ହୋଇଛି ।