-
ଏସ୍ପିଙ୍କ ନିକଟରେ ଫେରାଦ ହେଲେ ବିଜେପି ନେତା ମନୁ ସାମନ୍ତରା ଏବଂ ମହିଳା
ବ୍ରହ୍ମପୁର: ଜରଡା ଥାନା ଅନ୍ତର୍ଗତ ଲୁଲି ପ୍ରଧାନ ନାମକ ଜଣେ ଅଙ୍ଗନବାଡି ପାଚିକାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ମିଳିଥିବା ନେଇ ସେ ଶୁକ୍ରବାର ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କୁ ଭେଟି ଅଭିଯୋଗ କରିଛନ୍ତି । ବ୍ରହ୍ମପୁର ଏସ୍ପି ଶ୍ରୀ ମିଶ୍ର ଲୁଲି ପ୍ରଧାନଙ୍କ ଠାରୁ ପୁରା ଘଟଣା ଶୁଣିବା ପରେ ମାମଲାକୁ ନେଇ ଜରଡା ଥାନାଧିକାରୀ ମୃତ୍ୟୁଞ୍ଜୟ ସ୍ୱାଇଁଙ୍କ ସହ ଆଲୋଚନା କରି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମହିଳା ଜଣକ ନିହାତି ଗରୀବ ଶ୍ରେଣୀର ହୋଇଥିବା ବେଳେ ତାଙ୍କୁ ବାରମ୍ବାର ବାଦପୁର ଗ୍ରାମର ସୁରେନ୍ଦ୍ର ପ୍ରଧାନ ଗାଳିଗୁଲଜ କରିବା ନେଇ ଅଭିଯୋଗ ହୋଇଛି ।
ସୂଚନାଯୋଗ୍ୟ ଯେ, ଜରଡା ଥାନା ଅନ୍ତର୍ଗତ ଦେଶାରୀ ଗ୍ରାମର ଅଙ୍ଗନବାଡି ପାଚିକା ଭାବେ ଲୁଲି ପ୍ରଧାନ କାମ କରନ୍ତି । ମେ ମାସ ୨୮ ତାରିଖ ଦିନ ଲୁଲି ତାଙ୍କ ଅଙ୍ଗନବାଡି ଦିଦିଙ୍କ ନିର୍ଦ୍ଦେଶକ୍ରମେ ନିକଟସ୍ଥ ଦେଶାରୀ କ୍ୱାରେଣ୍ଟାଇନ୍ ହୋମ୍ରେ କିଛି ଲୋକଙ୍କ ଫଟୋ ଉଠାଉଥିବା ବେଳେ ସୁରେନ୍ଦ୍ର ପ୍ରଧାନ ପାଚିକା ଲୁଲି ପ୍ରଧାନଙ୍କୁ ବିନା କାରଣରେ ଗାଳି ଗୁଲଜ କରିଥିଲେ । ଏପରିକି ଏଠାକୁ ଆସିଲେ ଜୀବନରେ ମାରିଦେବେ ବୋଲି ମଧ୍ୟ ଧମକ ଦେଇଥିଲେ । ଏ ନେଇ ଲୁଲି ଜରଡା ଥାନାରେ ୨୮ ତାରିଖ ଦିନ ହିଁ ଅଭିଯୋଗ କରିଥିଲେ । ଏହା ସତ୍ତ୍ୱେ ପୁଲିସ ଘଟଣାର ତଦନ୍ତ କରିବା ଦୂରର କଥା ସୁରେନ୍ଦ୍ରଙ୍କୁ ଡାକି ତାଗିଦ୍ ବି କରିନଥିଲେ । ଫଳରେ ପୁଣି ସୁରେନ୍ଦ୍ର ପାଚିକା ଲୁଲି ପ୍ରଧାନଙ୍କୁ ଗ୍ରାମରେ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବା ଧମକ ଦେଉଛନ୍ତି । ତେଣୁ ଭୟଭୀତ ହୋଇ ଲୁଲି ଶୁକ୍ରବାର ତାଙ୍କ ସମ୍ପର୍କୀୟ ଲୋକ ଏବଂ ବିଜେପି ନେତା ମନୋରଞ୍ଜନ ଦ୍ୟାନ ସାମନ୍ତରାୟଙ୍କ ସହ ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟ ନିକଟକୁ ଆସି ଏସ୍ପି ପିନାକ ମିଶ୍ରଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଏସ୍ପି ମହିଳାଙ୍କୁ ପ୍ରତିଶ୍ରୁତି ଦେବା ସହ ଘଟଣାର ତଦନ୍ତ ପାଇଁ ଜରଡା ଥାନାଧିକାରୀଙ୍କୁ ତୁରନ୍ତ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।