ବ୍ରହ୍ମପୁର: ବର୍ଷା ଦିନ ଆସିଲେ ବ୍ରହ୍ମପୁର ସହର ତଥା ଏହାର ଆଖପାଖ ଜନବସତି ସହରତଳିଆ ଅଞ୍ଚଳରେ ସାମାନ୍ୟ ବର୍ଷା ହେଲେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ଏପରିକି କିଛି ସ୍ଥାନରେ ଡ଼ଙ୍ଗାର ସାହାଯ୍ୟ ନେବାକୁ ପଡ଼ିଥାଏ । ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନରେ ବିରାଟ ପରିବର୍ତ୍ତନ ଆସିଛି । ତେଣୁ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକରୁ ଅଧିକ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାହ୍ନୁମାନ କରିଛି । ତେଣୁ ବର୍ଷା ହେଲେ ଯେଉଁଠାରେ ପାଣି ମହଜୁଦ ହୋଇ ରହି ବନ୍ୟା ପରିସ୍ଥିତି ଉପୁଜୁଥିଲା ସେହି ସ୍ଥାନ ଗୁଡ଼ିକୁ ଚିହ୍ନଟ କରି ତାହାର ଡ଼୍ରେନେଜ ଅବସ୍ଥାକୁ ସୁଧାର ଆଣିବା ପାଇଁ ଗତ କିଛି ଦିନ ତଳେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଯେଉଁଥିରେ କି ଜଳସେଚନ ବିଭାଗ ଓ ଡ଼୍ରେନେଜ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ । ଶୁକ୍ରବାର ପୁଣି ଜିଲ୍ଲାପାଳ ତଥା ନିଗମ ପ୍ରଶାସକ ଓ ସମସ୍ତ ଲାଇନ ବିଭାଗର ଅଧିକାରୀ ଓ ଯନ୍ତ୍ରୀଙ୍କୁ ନେଇ ବୈଠକ ବସିଛି । ଆଗାମୀ ୨/୩ ଦିନ ମଧ୍ୟରେ ଯେଉଁ ସ୍ଥାନ ଗୁଡ଼ିକରେ ବର୍ଷା ଜଳ ରହୁଥିଲା ସେଗୁଡ଼ିକୁ ଚିହ୍ନଟ କରି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ଜାନିବିଲି ପ୍ରକଳ୍ପର ପାଣି ସହରକୁ ଆସିଥିଲେ ମଧ୍ୟ ପାଇପ୍ ଲାଇନ ବିଛାଉଥିବା ସଂସ୍ଥାର ମନୋମୁଖୀ କାର୍ଯ୍ୟ ଯୋଗୁଁ ସହରର ବିଭିନ୍ନ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ତେଣୁ ଏଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଇଛି । ରାସ୍ତାଘାଟ ସହ ଡ଼୍ରେନ ବର୍ଷା ଦିନ ପୂର୍ବରୁ ଯେପରି ଜନସାଧାରଣଙ୍କ ଉପଯୋଗୀ ହୋଇପାରିବ ସେ ଦିଗରେ ପ୍ରଶାସନିକ ଓ ରାଜନୈତିକ ସ୍ତରରେ ତତ୍ପରତା ଦେଖାଦେଇଥିବା ସାଂସଦ ଚନ୍ଦ୍ରଶେଖର ସାହୁ କହିଛନ୍ତି । ଶୁକ୍ରବାର ନିଗମ ସମ୍ମିଳନୀ କକ୍ଷରେ ପ୍ରଶାସକ ତଥା ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଂସଦ ଶ୍ରୀସାହୁଙ୍କ ସମେତ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, କମିଶନର ଚକ୍ରବର୍ତ୍ତି ସିଂହ ରାଠୋର, ଡ଼୍ରେନେଜ ବିଭାଗ ନିର୍ବାହୀ ଅଧିକାରୀ ଇ.ସମ୍ପଦ ରାଓ,ବିଏମ୍ସି ନିର୍ବାହୀ ଯନ୍ତ୍ରୀ ବସନ୍ତ କୁମାର ପାଢ଼ୀ, ସାଉଥ୍କୋ ଅଧିକ୍ଷଣ ଯନ୍ତ୍ରୀ ଚନ୍ଦନ ଦାଶ, ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ଜେନା, ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ ତପନ କୁମାର ପାଣିଗ୍ରାହୀ, ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀ ସୀତାରାମ ପଣ୍ଡା ପ୍ରମୁଖ ବିଏମ୍ସିର ସମସ୍ତ ଯନ୍ତ୍ରୀ ଓ ଲାଇନ ବିଭାଗର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ । ସୂଚନା ଥାଉ କି ଗତ ବର୍ଷ ବର୍ଷା ଦିନରେ ସହରର ତଥା ସହରତଳି ଅଞ୍ଚଳ ଶରଧାବାଲି, ବାଞ୍ଛାନିଧି ନଗର, କଳିଙ୍ଗନଗର, ଗଜପତିନଗର, ନୀଳାଞ୍ଚଳ ନଗର, ଲୋଚାପଡ଼ା, ତୁଳସୀନଗର, ଗାନ୍ଧିନଗର ଆଦି ଅଞ୍ଚଳରେ ଡ଼୍ରେନ ଜଳ ପଶି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ସେହି ସମୟରେ ସାଂସଦ ଓ ବିଧାୟକ ଉକ୍ତ ଅଞ୍ଚଳକୁ ଯାଇ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଆଶ୍ୱସନା ଦେଇ ଆଗାମୀ ବର୍ଷା ଋତୁ ପୂର୍ବରୁ ଏହାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ତାକୁ ପୂରଣ କରିବା ପାଇଁ ଉଭୟ ସାଂସଦ ଓ ବିଧାୟକ ପ୍ରଶାସନିକ ଅଧିକାରୀଙ୍କ ସହଯୋଗରେ ସହରର ଡ଼୍ରେନେଜ ବ୍ୟବସ୍ଥା ଓ ରାସ୍ତାର ଉନ୍ନତିକରଣ କରିବା ପାଇଁ ପଦକ୍ଷେପ ଆରମ୍ଭ କରିଥିବାରୁ ବିଭିନ୍ନ ମହଲରେ ଏଭଳି କାର୍ଯ୍ୟକୁ ସ୍ୱାଗତ କରାଯାଇଛି ।
Related Stories
November 22, 2024