
ପୁରୀ– କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କରୋନା କଟକଣାକୁ ଦୃଷ୍ଟିରେ ରଖି ୧୪୪ ଧାରା ବଳରେ ସ୍ନାନମଣ୍ଡପରେ ଶ୍ରୀଜୀଉଙ୍କ ସ୍ନାନ ଯାତ୍ରା ନୀତି ଆରମ୍ଭ ହୋଇଛି । ସୀମିତ ସେବାୟତଙ୍କ ଉପସ୍ଥିତିରେ ଚତୁର୍ଦ୍ଧାମୂର୍ତିଙ୍କ ସମସ୍ତ ନୀତିକାନ୍ତି ଆଗେଇ ଚାଲିଛି । ଏଥିପାଇଁ ମନ୍ଦିର ସଂଲଗ୍ନ ୯୦ଟି ସ୍ଥାନରେ ବ୍ୟାରିକେଡ କରାଯାଇ ୧୪୪ ଧାରା ଜାରି କରାଯାଇଛି । ଭକ୍ତଙ୍କୁ କୌଣସି ପ୍ରକାରେ ବଡ଼ଦାଣ୍ଡ ମଧ୍ୟକୁ ଛଡାଯାଉନାହିଁ । କେବଳ ଦାୟୀତ୍ୱରେ ଥିବା ସେବାୟତ, ସେବକ, ପୋଲିସ କର୍ମଚାରୀ ଓ ସରକାରୀ ଅଧିକାରୀଙ୍କୁ ସୁରକ୍ଷା ବଳୟ ମଧ୍ୟକୁ ଛଡାଯାଉଛି । ମନ୍ଦିର ଚର୍ତୁପାଶ୍ୱର୍ରେ ନଜର ରଖିବା ପାଇଁ ୩୦ଟି ସିସିଟିଭି ସଂଯୋଗ କରାଯାଇଛି । ଶ୍ରୀମନ୍ଦିର ଚର୍ତୁପାଶ୍ୱର୍, ବଡ଼ଦାଣ୍ଡ ସମେତ ପୁରୀ ସହର ଓ ଏହାର ଚାରିପାଖରେ ରହିଥିବା ଅନ୍ୟାନ୍ୟ ଛକ ମାନଙ୍କରେ ଗତକାଲି ରାତି ୧୦ଟା ଠାରୁ୧୪୪ ଧାରା ଜାରୀ କରାଯାଇଛି । ଏସବୁ ସ୍ଥାନରେ ୪୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ୬ ତାରିଖ ପ୍ରାତଃ ୨ଟା ପର୍ଯ୍ୟନ୍ତ ପ୍ରଶାସନର ଏହି କଟକଣା ବଳବତର ରହିବ ।
ଜିଲ୍ଲାପାଳ ବଲୱନ୍ତ ସିଂହଙ୍କ ନିର୍ଦ୍ଦେଶ ପ୍ରକାରେ ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ମାର୍କେଟ ଛକ – କାକୁଡ଼ି ଖାଇ ଛକ, ମର୍ଚ୍ଚିକୋଟ ଛକ ଠାରୁ- ଲବଣୀଖିଆ ଛକ, ଲବଣୀଖିଆ ଛକ ଠାରୁ ଭାୟା ଜେନାରୀ ଗଛ ଛକ ଦେଇ କରତି ସାହି ସହ ଦୋଳମଣ୍ଡପ ସାହି ଜହ୍ନିମୁଣ୍ଡିଆ ଛକ ପର୍ଯ୍ୟନ୍ତ ୧୪୪ କଟକଣା ଜାରୀ କରାଯାଇଛି । ଏଥିସହ ଭୋଗ ଜାଗା, ଖୁଂଟିଆ ସାହି ଛକ, ସୁଦର୍ଶନ ଗେଷ୍ଟ ହାଉସ୍, ହରଚଣ୍ଡୀ ସାହିର ମାଛ ହାଟ ଛକ, ବରାହି ଛକ, ଲୋକନାଥ ରୋଡର ବୃଷଭ ଛକ, ମଙ୍ଗଳା ଘାଟ ମାଳିକା ଛକ, ବାଲି ସ୍କୁଲ, ମିଶ୍ର ସାହି, ପାଣ୍ଡା ଜାଗା, ଚୂଡ଼ଙ୍ଗ ସାହି ଦେଇ ବଡ଼ଦାଣ୍ଡ ଇଣ୍ଡିଆନ ବ୍ୟାଙ୍କ ଛକ ପର୍ଯ୍ୟନ୍ତ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ରହିଛି ।