ନୂଆଦିଲ୍ଲୀ– ଦିଲ୍ଲୀ ପୋଲିସରେ ମାସ୍କ ପିନ୍ଧି ନଥିବା ଜଣେ ଏଏସଆଇଙ୍କୁ ଡିସିପି ନିଲମ୍ବନ କରିଛନ୍ତି । ମାସ୍କ ନ ପିନ୍ଧିବା ନେଇ ଦିଲ୍ଲୀରେ ଏହା ହେଉଛି ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ ବୋଲି ଚର୍ଚ୍ଚା ହେଉଛି । ସେମାନେ ଏବେ ସତର୍କତାର ସହିତ ନିଜର କର୍ତ୍ତବ୍ୟ ସଂପାଦନ କରୁଛନ୍ତି ।
ଗତ ୧ ତାରିଖରେ ଡିସିପି କରୋନାକୁ ନେଇ ନିୟମର ତଦାରଖ କରିବା ପାଇଁ ବାହାରି ଥିଲେ । ପ୍ରକୃତପକ୍ଷେ ଦିଲ୍ଲୀରେ ସାମାଜିକ ଦୂରତାକୁ କିଭଳି ଭାବରେ ପାଳନ କରାଯାଉଛି, ତାହାର ତଦାରଖ ପାଇଁ ଡିସିପି ଯାଞ୍ଚ କରିବାକୁ ବାହାରିଥିଲେ । ବାରାକରେ ସାନିଟାଇଜେସନ ଠାରୁ ଆରମ୍ଭ କରି ମାସ୍କ ଓ ଗ୍ଲୋଭସର ବ୍ୟବହାର ହେଉଛି କି ନାହିଁ, ସେସଂପର୍କରେ ଅବଗତ ହୋଇଥିଲେ । ଏହାରି ମଧ୍ୟରେ ଜଣେ ଏଏସଆଇ ବିନା ମାସ୍କରେ ବୁଲୁଥିବାର ଦେଖାଯାଇଥିଲା । ଡିସିପି ସଂପୃକ୍ତ ଏଏସଆଇଙ୍କୁ ତୁରନ୍ତ ନିଲମ୍ବନ ଆଦେଶ ଦେଇଥିଲେ । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏଏସଆଇ କହିଥିଲେ ଯେ, ଭୀଷଣ ଗରମ ଯୋଗୁଁ ଶ୍ୱାସକ୍ରିୟାରେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ମାସ୍କ ପିନ୍ଧି ନଥିଲେ । ମାତ୍ର ତାଙ୍କର ନିବେଦନକୁ ଗ୍ରହଣ କରାଯାଇ ନାହିଁ ।
ନିଲମ୍ବନ ଆଦେଶ ଜାରି କରିବା ପରେ ଏଏସଆଇଙ୍କୁ ନିଜର ବର୍ଦ୍ଦି, ଆଇକାର୍ଡ ଓ ସରକାରୀ ସାମଗ୍ରୀ ୪ର୍ଥ ବାଟାଲିଅନରେ ଦାଖଲ କରିବାକୁ କୁହାଯାଇଛି । ଡିସିପିଙ୍କ ଏହି କାର୍ଯ୍ୟାନୁଷ୍ଠାନକୁ କିଛି ଲୋକ ପସନ୍ଦ କରିଛନ୍ତି । କାରଣ ବିଗତ ଦିନରେ ଡିସିପିଙ୍କ ବାରାକରେ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ।