ପୁରୀ- ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ତିଥିରେ ସ୍ନାନ ମଣ୍ଡପରେ ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧାମୂର୍ତି । ହେଲେ ଚଳିତ ବର୍ଷ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କରୋନା କଟକଣା ଯୋଗୁଁ ଶ୍ରୀଜୀଉଙ୍କ ଏହି ଦୁର୍ଲଭ ବେଶକୁ ସାଧାରଣ ଭକ୍ତ ସିଧାସଳଖ ଦର୍ଶନ କରିବାରୁ ବଂଚିତ ହୋଇଛନ୍ତି । କେବଳ ସିଧାପ୍ରସାରଣ ଜରିଆରେ ଟେଲିଭିଜନ ମାଧ୍ୟମରେ ଦେଖି ସନ୍ତୁଷ୍ଟ ରହିଛନ୍ତି ।
ରତ୍ନ ସିଂହାସନରୁ ଧାଡ଼ି ପହଣ୍ଡିରେ ସ୍ନାନ ମଣ୍ଡପକୁ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତି । ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହା ପରେ ପର୍ଯ୍ୟାୟ କ୍ରମେ ବଡ଼ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ଏବଂ ଶେଷରେ ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି ହୋଇଥିଲା । ରତ୍ନ ସିଂହାସନରୁ ଟାହିଆ ହଲାଇ ସ୍ନାନବେଦିକୁ ବିଜେ କରିଥିଲେ ଜଗତର ନାଥ ଶ୍ରୀ ଜଗନ୍ନାଥ । ସକାଳ ୬ଟା ସୁଦ୍ଧା ସ୍ନାନ ମଣ୍ଡପରେ ଶ୍ରୀଜୀଉଙ୍କ ମଙ୍ଗଳ ଆଳତୀ, ମଇଲମ ଓ ବେଶ ଅନୁଷ୍ଠିତ ହୋଇଥିଲା । ବେଶ ଶେଷ ହେବା ପରେ ଦ୍ୱାରପାଳ ଓ ସୂର୍ଯ୍ୟପୂଜା ନୀତି ସମ୍ପନ୍ନ ହୋଇଥିଲା । ସୀମିତ ସେବାୟତଙ୍କ ଉପସ୍ଥିତିରେ ଚତୁର୍ଦ୍ଧାମୂର୍ତିଙ୍କ ଏହି ସମସ୍ତ ନୀତିକାନ୍ତି ସମାପନ ହୋଇଛି ।
ସ୍ନାନଯାତ୍ରା ପାଇଁ ଗତକାଲି ବିଳମ୍ବିତ ରାତିରୁ ଶ୍ରୀଜୀଉଙ୍କ ବିଭିନ୍ନ ନୀତି କାନ୍ତି ଆରମ୍ଭ ହୋଇଥିଲା । ରାତି ୧ଟା ୨୫ ମିନିଟ୍ ସମୟରେ ମଙ୍ଗଳାର୍ପଣ ହୋଇ ୧ଟା ୪୦ ରେ ପହଣ୍ଡି କାର୍ଯ୍ୟ ଆରମ୍ଭ ହୋଇଥିଲା । ରାତି ୧ଟା ୪୦ରେ ପହଣ୍ଡି ଆରମ୍ଭ ହୋଇ ୩ଟା ୧୦ ମିନିଟ୍ ସମୟରେ ସରିଥିଲା । ରାତି ୩ଟା ୪୦ ମିନିଟ୍ ସମୟରେ ପ୍ରଥମେ ସ୍ନାନ ମଣ୍ଡପକୁ ବିଜେ କରିଥିଲେ ମଦନମୋହନ, ଏହା ପରେ ବଡ଼ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଓ ପରେ ଜଗନ୍ନାଥ ସ୍ନାନ ମଣ୍ଡପକୁ ବିଜେ କରିଥିଲେ । ଭୋର୍ ୪ଟା ୨୦ ରେ ମଙ୍ଗଳ ଆଳତୀ ଓ ୪ଟା ୩୫ ରେ ମଇଲମ ଓ ତଡ଼ପଲାଗି ନୀତି ସମ୍ପନ୍ନ ହୋଇଥିଲା । ସେହିପରି ଭୋର୍ ୪ଟା ୫୦ ରେ ମହାପ୍ରଭୁଙ୍କ ଅଧରପୋଛା ନୀତି ସମ୍ପନ୍ନ ହୋଇଥିଲା । ଅନ୍ୟାନ୍ୟ ନୀତିକାନ୍ତି ମୁତାବକ ୫ଟା ୩୦ରେ ଅବକାଶ, ୫ଟା ୪୦ରେ ରୋଷ ହୋମ ଓ ୫ଟା ୫୫ ରେ ବେଶ ଶେଷ ହୋଇଥିଲା । ପରେ ଦ୍ୱାରପାଳ ଓ ସୂର୍ଯ୍ୟପୂଜା ନୀତି ସମ୍ପନ୍ନ ହୋଇଥିଲା । ଏହାପରେ ପୂର୍ବାହ୍ନରେ ଚତୁର୍ଦ୍ଧାମୂର୍ତିଙ୍କ ସ୍ନାନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସୁନା ଗୋସାଇଁ ଶୀତଳା ମନ୍ଦିର ନିକଟ ସୁନା କୂଅରୁ ଅଧିବାସ ଘରକୁ ଆଣିଥିଲେ ୧୦୮ ଗରା ଜଳ । ବିଧି ମୁତାବକ, ବଡ଼ ଠାକୁର ବଳଭଦ୍ରଙ୍କ ନିମନ୍ତେ ୩୩ ଗରା, ଜଗନ୍ନାଥଙ୍କ ନିମନ୍ତେ ୩୫ ଗରା, ଦେବୀ ସୁଭଦ୍ରାଙ୍କର ୨୨ ଓ ସୁଦର୍ଶନଙ୍କ ୧୮ ଗରା ଜଳ ରହିଥିଲା । ଏହା ପରେ ଗରାବଡ଼ୁ ସେବକ ମାନଙ୍କ ଦ୍ୱାରା ସ୍ନାନ ମଣ୍ଡପରେ ଶ୍ରୀଜୀଉଙ୍କ ପବିତ୍ର ଜଳ ବିଜେ ନୀତି ଅନୁଷ୍ଠିତ ହୋଇଥିଲା । ୧୦୮ ଗରା ଅଭିମନ୍ତ୍ରିତ ଅଧିବାସ ଜଳରେ ଚତୁର୍ଦ୍ଧାମୂର୍ତିଙ୍କୁ ଜଳ ବିଜେ କରାଯାଇଥିଲା । ଜଳ ବିଜେ ନୀତି ପରେ ପୂଜାପଣ୍ଡାଙ୍କ ଦ୍ୱାରା ମହାପ୍ରଭୁଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି । ସ୍ନାନପରେ ମହାପ୍ରଭୁ ଦୁର୍ଲଭ ହାତୀବେଶରେ ଦର୍ଶନ ଦେଇଛନ୍ତି ।
ସ୍ନାନ ଯାତ୍ରାରେ କରୋନା କଟକଣା ଓ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ମନ୍ଦିର ସଂଲଗ୍ନ ୯୦ଟି ସ୍ଥାନରେ ବ୍ୟାରିକେଡ କରାଯାଇ ୧୪୪ ଧାରା ଜାରି କରାଯାଇଛି । ମନ୍ଦିର ଚର୍ତୁପାଶ୍ୱର୍ରେ ନଜର ରଖିବା ପାଇଁ ୩୦ଟି ସିସିଟିଭି ସଂଯୋଗ କରାଯାଇଛି । ମନ୍ଦିର ଚାରିପାଖ, ବଡ଼ ଦାଣ୍ଡ ଓ ସହରର ବିଭିନ୍ନ ସ୍ଥାନରେ ୪୦ ପ୍ଲାଟୁନ୍ ଫୋର୍ସ ମୁତୟନ ରହିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ଶ୍ରୀନଅର ମୁଦିରସ୍ଥ ସେବାୟତ ସ୍ନାନ ବେଦିରେ ଛେରାପହରା କାର୍ଯ୍ୟ ସମାପନ କରିଥିଲେ ।