ଭୁବନେଶ୍ୱର– ମାଲିକମାନଙ୍କ ସ୍ୱାର୍ଥ ରକ୍ଷା କରିବା ପାଇଁ କାରଖାନା ଆଇନ୍-୧୯୪୮କୁ ପରିବର୍ତନ କରି ଅଧ୍ୟାଦେଶ ମାଧ୍ୟମରେ କାର୍ଯ୍ୟକାରୀ କରିବା ନିମନ୍ତେ ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ନିଷ୍ପତ୍ତିକୁ ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଟ୍ରେଡ୍ ୟୁନିୟନ୍ ସେଂଟର (ଏ.ଆଇ.ୟୁ.ଟି.ୟୁ.ସି) ଓଡିଶା ରାଜ୍ୟ କମିଟି ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି । ଶ୍ରମିକ କର୍ମଚରୀମାନଙ୍କ ସୁବିଧାସୁଯୋଗ ଓ କଲ୍ୟାଣ ନିମନ୍ତେ କାରଖାନା ଆଇନ୍ (ଫ୍ୟାକ୍ଟ୍ରି ଆକ୍ଟ-୧୯୪୮) ୧ ଏପ୍ରିଲ ୧୯୪୯ ଠାରୁ କାର୍ଯ୍ୟକାରୀ ହୋଇଆସୁଛି । ବିଦ୍ୟୁତ୍ ସାହାଯ୍ୟରେ ଉତ୍ପାଦନ ସଂସ୍ଥାରେ ୧୦ ବା ୧୦ରୁ ଅଧିକ ଶ୍ରମିକ ଓ ବିନା ବିଦ୍ୟୁତ୍ରେ ଉତ୍ପାଦନ ସଂସ୍ଥାରେ ୨୦ ବା ୨୦ରୁ ଅଧିକ ଶ୍ରମିକ କାର୍ଯ୍ୟ କରୁଥିଲେ ସେଠାରେ ଏହି ଆଇନ୍ କାର୍ଯ୍ୟକାରୀ ହୋଇଆସୁଛି । କିନ୍ତୁ ଓଡିଶା ରାଜ୍ୟ ସରକାର ବର୍ତମାନ ଏହି ଆଇନ୍କୁ ପରିବର୍ତନ କରି ଅଧ୍ୟାଦେଶ (ଅର୍ଡିନାନ୍ସ) ମାଧ୍ୟମରେ ୫୦ଜଣ କିମ୍ବା ୫୦ରୁ ଅଧିକ ଶ୍ରମିକ କାମ କରୁଥିବା ସଂସ୍ଥାରେ କାରଖାନା ଆଇନ୍ କାର୍ଯ୍ୟକାରୀ କରିବାକୁ ନିଷ୍ପତି ଗ୍ରହଣ କରିଛନ୍ତି । ଯାହାଫଳରେ ୯୦ଭାଗରୁ କାରଖାନା ବା ସଂସ୍ଥା ଏହି ଆଇନ୍ ପରିସରଭୁକ୍ତ ହେବେନାହିଁ ଏବଂ ସେହିସବୁ କାରଖାନା ବା ସଂସ୍ଥାରେ ଶ୍ରମିକ କର୍ମଚାରୀମାନେ ଏହି ଆଇନ୍ ପରିସରଭୁକ୍ତ ବିଭିନ୍ନ ସୁବିଧା ଓ କଲ୍ୟାଣକର ଯୋଜନାରୁ ବାଦ୍ ପଡିବେ । ଏହାସହିତ ଏହି ଆଇନ୍ ଅନୁସାରେ ସନ୍ଧ୍ୟା ୭ଟାରୁ ସକାଳ ୬ଟା ମଧ୍ୟରେ ରାତ୍ରିକାଳୀନ କାର୍ଯ୍ୟରେ ମହିଳାମାନଙ୍କୁ କାମରେ ନିଯୁକ୍ତ ନକରିବାର ପ୍ରାବଧାନକୁ ପରିବର୍ତନ କରି ଏହି ରାତ୍ରୀକାଳୀନ କାର୍ଯ୍ୟରେ ମହିଳାମାନଙ୍କୁ ନିଯୁକ୍ତ କରିବାର ନିଷ୍ପତି ନେଇଛନ୍ତି । ଯାହାଫଳରେ କର୍ମଜୀବୀ ମହିଳାମାନଙ୍କର ନିରାପତା ଓ ଘରୋଇ ଦାୟିତ୍ୱ ପାଳନ କ୍ଷେତ୍ରରେ ବହୁ ସମସ୍ୟା ସୃଷ୍ଟି ହେବ । ତ୍ରୟୋମାସିକ ଓଭରଟାଇମ୍ର ସର୍ବୋଚ୍ଚ ସୀମା ୭୫ଘଂଟାରୁ ୧୧୫କୁ ବୃଦ୍ଧି କରିବା ନିଷ୍ପତି ମଧ୍ୟ ରାଜ୍ୟ ସରକାରନେଇଛନ୍ତି । ଏହାଫଳରେ ଶ୍ରମିକମାନଙ୍କର ସ୍ୱାସ୍ଥ୍ୟହାନୀ ଘଟିବା ସଙ୍ଗେ ସଙ୍ଗେ ମାଲିକ ବା ନିଯୁକ୍ତିଦାତାମାନେ ଶ୍ରମିକ କର୍ମଚରୀ ସଂଖ୍ୟା ହ୍ରାସ କରିବାର ସୁଯୋଗ ପାଇବେ । ଦୈନିକ କାର୍ଯ୍ୟ ନିର୍ଘଂଟଣ୍ଟ ୮ଘଂଟାରୁ ୧୨ଘଂଟାକୁ ବୃଦ୍ଧି କରିବାର ଅମାନବିକ ନିଷ୍ପତି ମଧ୍ୟ ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ସମ୍ପ୍ରତି କରୋନା ମହାମାରୀ ସମୟରେ ବିପନ୍ନ ଶ୍ରମଜୀବୀ ଜନସାଧାରଣଙ୍କୁ ସାହାଯ୍ୟ ସହାୟତା ଦେବା ପରିବର୍ତେ ଏଭଳି ଅନ୍ୟାୟ ପଦକ୍ଷେପ ଅତ୍ୟନ୍ତ ଅମାନବିକ ବୋଲି ଉଦ୍ବେଗ ପ୍ରକାଶ କରାଯାଇଛି । ରାଜ୍ୟ ସରକାରଙ୍କ ଏହି ଶ୍ରମିକ ବିରୋଧୀ ନିଷ୍ପତି ପ୍ରତ୍ୟାହାର କରିବା ପାଇଁ ଏ.ଆଇ.ୟୁ.ଟି.ୟୁ.ସି ଓଡିଶା ରାଜ୍ୟ କମିଟି ଦୃଢ଼ ଦାବି କରିଛି ।
ଓଡିଶା ରାଜ୍ୟରେ ଶ୍ରମଭିତିକ, ନିଯୁକ୍ତି ଭିତିକ କଳକାରଖାନା ପ୍ରତିଷ୍ଠା ଏବଂ କୃଷିର ବିକାଶ ପାଇଁ ସୁନିର୍ଦ୍ଦିଷ୍ଟ ଯୋଜନା କରିବାରେ ରାଜ୍ୟ ସରକାରଙ୍କର ବିଫଳତା ଯୋଗୁଁ ଓଡିଶାରୁ ଲକ୍ଷ ଲକ୍ଷ ଶ୍ରମଜୀବୀ ଜନସାଧାରଣ ରାଜ୍ୟ ବାହାରେ ବିଭିନ୍ନ ରାଜ୍ୟରେ ଦାଦନ ଶ୍ରମିକ ବା ପ୍ରବାସୀ ଶ୍ରମିକ ଭାବେ କାମ କରିବାକୁ ଯାଉଛନ୍ତି ବୋଲି ଏ.ଆଇ.ୟୁ.ଟି.ୟୁ.ସି ପକ୍ଷରୁ ଅଭିଯୋଗ କରାଯାଇଛି । ରାଜ୍ୟର ସମସ୍ତ କର୍ମକ୍ଷମ, ଶ୍ରମଜୀବୀ ଲୋକଙ୍କୁ ସ୍ଥାୟୀ କର୍ମସଂସ୍ଥାନ ଯୋଗାଇବା ନିମନ୍ତେ ନିଯୁକ୍ତି ଭତତ୍ତିକ ଶିଳ୍ପ ପ୍ରତିଷ୍ଠା ଏବଂ କୃଷିର ବିକାଶ ପାଇଁ ସୁନିର୍ଦ୍ଦିଷ୍ଟ ପଦକ୍ଷେପ ନେବା ସଙ୍ଗେ ସଙ୍ଗେ କୃଷିଜାତ ଦ୍ରବ୍ୟର ସଂରକ୍ଷଣ ଓ ଉପଯୁକ୍ତ ସହାୟକ ମୂଲ୍ୟ ପ୍ରଦାନକରି ଚାଷୀମାନଙ୍କ ଠାରୁ ସରକାର ପ୍ରତ୍ୟକ୍ଷ ଭାବେ କୃଷିଜାତ ଦ୍ରବ୍ୟ କିଣିବାର ସୁବ୍ୟବସ୍ଥା କରିବା ନିମନ୍ତେ ଏ.ଆଇ.ୟୁ.ଟି.ୟୁ.ସି ଓଡିଶା ରାଜ୍ୟ ସଭାପତି ଶମ୍ଭୁନାଥ ନାଏକ ଓ ସମ୍ପାଦକ ଜୟସେନ ମେହେର ପ୍ରେସ୍ ଇସ୍ତାହାର ମାଧ୍ୟମରେ ସରକାରଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି ।