-
ପ୍ରବାସୀଙ୍କୁ ସେବା ଯୋଗାଇଥିବା ସଦର ଏସ୍ଡିପିଓ ଓ ଗୋଳନ୍ଥରା ଆଇଆଇସିଙ୍କୁ ସାଧୁବାଦ ଦେଲେ ଏସ୍ପି
ବ୍ରହ୍ମପୁର: କରୋନା ମୁକାବିଲା ସହ ପୋଲିସର ପ୍ରାଥମିକ କାର୍ଯ୍ୟକୁ ଗୁରୁତ୍ୱଦେଇ ନିଜ ନିଜ ଥାନା ଅଞ୍ଚଳରେ ଥିବା କେଶ୍ଗୁଡିକୁ ତୁରନ୍ତ ଫଇସଲା କରିବାକୁ ଗୁରୁବାର ବ୍ରହ୍ମପୁର ପୋଲିସ ଜିଲ୍ଲା ମୁଖ୍ୟାଳୟରେ ଅନୁଷ୍ଠିତ ଅପରାଧ ସମୀକ୍ଷା ବୈଠକରେ ଏସ୍ପି ପିନାକ ମିଶ୍ର ସମସ୍ତ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅପରାଧ ସମୀକ୍ଷା ବୈଠକରେ ସବୁ ଥାନାରେ ମୋ ସରକାରର ୫-ଟିର କାର୍ଯ୍ୟକାରୀ କିପରି କରାଯାଉଛି ତାହା ମଧ୍ୟ ସମୀକ୍ଷା ହୋଇଥିଲା । ଲୋକଙ୍କୁ ଉଚିତ ସେବା ଯୋଗାଇବା ସହ ଥାନାରେ ହିଁ ନ୍ୟାୟ ଦେବାକୁ ଥାନାଧିକାରୀମାନେ ପ୍ରୟାଶ ଜାରି ରଖନ୍ତୁ । ବର୍ତ୍ତମାନ କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ କରୋନା ମୁକାବିଲାରେ ପୋଲିସର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହୁଛି । ତେଣୁ ଏହାର ମୁକାବିଲା ସହ ପୋଲିସର ପ୍ରାଥମିକ କାର୍ଯ୍ୟ ଉପରେ ଗୁରୁତ୍ୱଦେଇ ଥାନାରେ ପଡି ରହିଥିବା ପୁରୁଣା ମାମଲାର ଫଇସଲା ସହ ପୁରୁଣା ଅପରାଧିଙ୍କ କାର୍ଯ୍ୟକଳାପ ଓ ଗତିବିଧି ଉପରେ ନଜର ରଖିବାକୁ କହିଥିଲେ । ବର୍ତ୍ତମାନ ବହୁ ପ୍ରବାସୀ ଓଡ଼ିଆ ନିଜ ନିଜ ଗ୍ରାମାଞ୍ଚଳକୁ ଆସି ସାରିଲେଣି । ତେଣୁ ସେମାନଙ୍କ ମଧ୍ୟରେ କିଏ ପୁରୁଣା ଅପରାଧରେ ଜଡିତ ରହିଛି ସେମାନଙ୍କୁ ଚିହ୍ନଟକରି ନଜର ରଖିବାକୁ ଥାନାଧିକାରୀମାନଙ୍କୁ କୁହାଯାଇଛି । ବର୍ତ୍ତମାନ ଲକ୍ ଡାଉନ୍ ଓ ସଡ୍ ଡାଉନ୍ ଜିଲ୍ଲାରେ ରହିଥିବା ବେଳେ ଏହାର କିପରି କାର୍ଯ୍ୟକାରୀ କରାଯାଉଛି ତାହାର ସମୀକ୍ଷା ମଧ୍ୟ ହୋଇଥିଲା । ଜୁନ୍ ମାସର ପ୍ରତ୍ୟେକ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ସଡ୍ ଡାଉନ୍ ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ତେଣୁ ଏହି ସମୟରେ ପୋଲିସର କ’ଣ ଭୂମିକା ରହିବ ସେ ଉପରେ ମଧ୍ୟ ଏସ୍ପି ଥାନାଧିକାରୀ ଓ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଟିପ୍ପଣୀ ପ୍ରଦାନ କରିଥିଲେ । ବିଭିନ୍ନ ଥାନାରେ ପୁରୁଣା କେଶ୍ ଫଇସଲାରେ ବିଳମ୍ବ ହୋଇଥିବା ଯୋଗୁ ସମ୍ପୂର୍ଣ୍ଣ ଥାନାଧିକାରୀମାନଙ୍କୁ ତୁରନ୍ତ ଫଇସଲା କରିବାକୁ ଏସ୍ପି ନିର୍ଦ୍ଦେଶ ଦେଇଥିଲେ । ସେପଟେ ଗୋଳନ୍ଥରା ଥାନା ଅନ୍ତର୍ଗତ ଗିରିସୋଲା ଠାରେ ଅସ୍ଥାୟୀ ଅନ୍ତଃରାଜ୍ୟ ତନଖି ଫାଟକ କରାଯାଇ ଓଡ଼ିଶାରେ ପ୍ରବେଶ କରୁଥିବା ପ୍ରବାସୀ ଓଡ଼ିଆ ଓ ଅନ୍ୟ ରାଜ୍ୟର ପ୍ରବାସୀଙ୍କୁ ଉଚିତ ସେବା ଯୋଗାଇବା ସହ ସେମାନଙ୍କୁ ଖାଇବା, ରହିବା, ତାଙ୍କ ଗନ୍ତବ୍ୟସ୍ଥଳରେନ୍ତ ସ୍ୱତନ୍ତ୍ର ଗାଡିକରି ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସଦର ଏସ୍ଡିପିଓ ଜୟନ୍ତ ମହାପାତ୍ର ଓ ଗୋଳନ୍ଥରା ଥାନାଧିକାରୀ ବାବୁଲି ନାୟକଙ୍କୁ ଜିଲ୍ଲା ପୋଲିସ ପକ୍ଷରୁ ସେମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ । ଏହି ସମୀକ୍ଷା ବୈଠକ ଜିଲ୍ଲା ପୋଲିସର ୩ଟି ସବ୍ଡିଭିଜନ ମଧ୍ୟରୁ ବ୍ରହ୍ମପୁର ଟାଉନ୍ ଓ ସଦର ସବ୍ଡିଭିଜନର ସମସ୍ତ ଥାନାଧିକାରୀଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ଚିକିଟି ସବ୍ଡିଭିଜନର ଅପରାଧ ସମୀକ୍ଷା ବୈଠକ ଆଗାମୀଦିନରେ ଅନୁଷ୍ଠିତ ହେବବୋଲି ଜଣାପଡିଛି । ସମୀକ୍ଷା ବୈଠକରେ ଅତିରିକ୍ତ ଏସ୍ପି ପ୍ରଭାତ ଚନ୍ଦ୍ର ରାଉତରାଏ ଓ ପ୍ରଶାନ୍ତ ମିଶ୍ରଙ୍କ ସମେତ ସଦର ଏସ୍ଡିପିଓ ଶ୍ରୀ ମହାପାତ୍ର, ଟାଉନ୍ ଏସ୍ଡିପିଓ ବିଷ୍ଣୁପ୍ରସାଦ ପତି, ବୈଦ୍ୟନାଥପୁର ଥାନାଧିକାରୀ ସାରଦାପ୍ରସନ୍ନ ଦାସ, ବଡବଜାର ଥାନାଧିକାରୀ ପ୍ରଶାନ୍ତ ଭୁପତି, ସଦର ଥାନାଧିକାରୀ ସନ୍ତୋଷିନୀ ଓରାମ୍, ଟାଉନ୍ ଥାନାଧିକାରୀ ସୁରେଶ କୁମାର ତ୍ରିପାଠୀ, ଗୋଷାଣୀନୂଆଗାଁ ଥାନାଧିକାରୀ ସୁମିତ ସୋରେନ, ଗୋପାଳପୁର ଥାନାଧିକାରୀ ବିବେକାନନ୍ଦ ମହନ୍ତ ଓ ଗୋଳନ୍ଥରା ଥାନାଧିକାରୀ ବାବୁଲି ନାୟକଙ୍କ ସମେତ ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।