ବାରିପଦା– ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ସମ୍ପ୍ରଦାୟ ସହ ଗରୀବ, ନିରାଶ୍ରୟ, ଭିନ୍ନକ୍ଷମ, ଅସହାୟମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବା ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ହାତକୁ ନେଇଛନ୍ତି । ହେଲେ କେତେକ କ୍ଷେତ୍ରରେ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଂଚି ପାରୁନି ଯୋଜନା । ଯାହାକୁ ନେଇ ଯୋଜନାର କାର୍ଯ୍ୟକାରୀତା ଉପରକୁ ଉଠିଛି ଅଙ୍ଗୁଳି । ପ୍ରଶାସନିକ ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ହେଉ ଅଥବା ଅନ୍ୟ କୌଣସି କାରଣରୁ ହେଉ ଯୋଜନାଗୁଡ଼ିକର ସଫଳତା କିଛି ମୁଷ୍ଟିମେୟ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ସିମୀତ ରହିଯାଉଛି । ଫଳରେ ଅଧିକାଂଶ ଯୋଗ୍ୟ ହିତାଧିକାରୀ ଏଥିରୁ ବାଦ୍ ପଡ଼ିଯାଉଛନ୍ତି ଏବଂ ଅସରନ୍ତି ଦୁଃଖ ଦୁର୍ଦ୍ଦଶା ମଧ୍ୟରେ ସମୟ କଟାଉଛନ୍ତି । ଏପରି ଏକ ଅଭାବନୀୟ ଦୁଃଖଦାୟକ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ବିଶୋଇ ବ୍ଲକଠାରୁ ପ୍ରାୟ ୭ କି.ମି. ଦୂର ନଙ୍ଗଳବେଂଟ ପୋଖରୀଆ ଗ୍ରାମପଚାଂୟତ ଅଧୀନ ପନଖି ଗ୍ରାମରେ । ଉକ୍ତ ଗ୍ରାମରେ ଅନୁସୂଚିତ ଜନଜାତି ଲୋହାର ସମ୍ପ୍ରଦାୟର ଶୁକ୍ରା ଲୋହାର (୮୫) ଓ ଶ୍ରୀମତୀ ଲୋହାର(୮୦) ନାମରେ ଦୁଇ ଜଣ ଜନ୍ମରୁ ଅନ୍ଧ ଭାଇ ଭଉଣୀ ବସବାସ କରିଆସୁଛନ୍ତି । ଏଥି ସହିତ ଏହି ଭାଇ ଓ ଭଉଣୀ ସମ୍ପ୍ରତି ବୟସର ଅପରାହ୍ନରେ ପହଁଚି ସାରିଥିବା ବେଳେ ସମ୍ପର୍କୀୟ ଓ ପାଖପଡ଼ୋଶୀମାନଙ୍କ ସହାୟତାରେ ଗଣ୍ଡାଏ ଖାଇ ଦଣ୍ଡେ ଜୀଉଁଛନ୍ତି । ଏହି ଭାଇ ଓ ଭଉଣୀ ଜିଲ୍ଲା ମେଡ଼ିକାଲ ଅଧିକାରୀଙ୍କ ନିକଟରୁ ଶତ ପ୍ରତିଶତ ଦୃଷ୍ଟିବାଧିତ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଥିଲେ ମଧ୍ୟ କେବଳ ସରକାରୀ ଭତାକୁ ବାଦ୍ ଦେଲେ ଅନ୍ୟ ସମସ୍ତ ସରକାରୀ ଯୋଜନାଗୁଡ଼ିକରୁ ବଂଚିତ ହୋଇଆସୁଛନ୍ତି । ପ୍ରଥମରେ ଜନ୍ମାନ୍ଧ ସହିତ ବାର୍ଦ୍ଧକ୍ୟ ଓ ଚାଲିବାର ଶକ୍ତି ନ ଥିବାରୁ ଗ୍ରାମବାସୀମାନେ ଏହି ଦୁଇ ଜଣଙ୍କୁ ସରକାରଙ୍କ ଖାଦ୍ୟ ସୁରକ୍ଷା ଅଧିକାର ଆଇନ ବଳରେ ରେସନକାର୍ଡ଼ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଥବା ବିଜୁ ପକ୍କା ଘର ଯୋଜନାରେ ସାମିଲ କରାଇବା ନିମନ୍ତେ ବହୁବାର ଉଦ୍ୟମ କରି ବିଫଳ ହୋଇଥିବାର ଅଭିଯୋଗ ହୋଇଛି । ଫଳରେ ଏମାନେ ସମ୍ପର୍କୀୟଙ୍କର ଏକ ଝାଟିମାଟିରେ ନିର୍ମିତ ଭଙ୍ଗା ଚାଳିଆରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି । ଏ ବିଷୟରେ ବିଶୋଇ ବ୍ଲକ ବିଡ଼ିଓ ଓ ସ୍ଥାନୀୟ ସରପଚଂଙ୍କ ସହିତ ଯୋଗାଯୋଗ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନଥିଲା ।