-
ବୁଧବାର ୪୧ଜଣ କରୋନା ରୋଗୀ ଚିହ୍ନଟ, ୨ସୁସ୍ଥ
ବ୍ରହ୍ମପୁର : ଜିଲ୍ଲାରେ ବୁଧବାର ୪୧ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ବର୍ତ୍ତମାନ ଜିଲ୍ଲାରେ ୪୯୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୧୯ଦିନରେ ୩୪୦ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଉ ୧୫୬ରୋଗୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ୩ରେ ରହିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପକ୍ଷରୁ ଘୋଷଣା କରାଯାଇଛି । ତେବେ ବୁଧବାର ୪୧ଜଣ ପଜେଟିଭଙ୍କ ମଧ୍ୟରୁ ୩୬ଜଣ କ୍ୱରଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦ଜଣ ଗୁଜୁରାଟ, ୪ଜଣ ମହାରାଷ୍ଟ୍ର, ଜଣେ ଆନ୍ଧ୍ରପ୍ରଦେଶ, ଆଉ ୨୧ଜଣ ମଧ୍ୟରେ ଗୁଜୁରାଟ ଓ ମହାରାଷ୍ଟ୍ରରୁ ଫେରି ନିଜ ଘରେ ସଙ୍ଗରୋଧ ଗୃହରେ ଥିଲେ । ମହାରାଷ୍ଟ୍ରରୁ ଫେରି ମଧ୍ୟ ୫ଜଣ ହୋମ୍ କ୍ୱରାଣ୍ଟାଇନ୍ରେ ଥିବାନେଇ ସୂଚନା ମିଳିଛି । ଆଉ ବଳକା ୫ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ତେବେ ମଙ୍ଗଳବାର ମଧ୍ୟରାତ୍ର ଠାରୁ ଆରମ୍ଭକରି ବୁଧବାର ମଧ୍ୟରାତ୍ର ପର୍ଯ୍ୟନ୍ତ ରାଜ୍ୟ ବାହାରୁ ୧୧ଟି ଟ୍ରେନ ସୁରତରୁ ୫, ମୁମ୍ବାଇରୁ ୨, ଚେନ୍ନାଇରୁ ୧, ବାଙ୍ଗାଲୋରରୁ ୧ରୁ ଗୋଟିଏ ଲେଖାଏଁ ଟ୍ରେନ୍ ଆସିଛି । ଏଥିରେ ପ୍ରାୟ ୧୫ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ଗଞ୍ଜାମକୁ ଆସିଛନ୍ତି । ଏମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପରେ ଜିଲ୍ଲାର ବିଭିନ୍ନ ସଙ୍ଗରୋଧ ଗୃହକୁ ୨୧ଦିନିଆ କ୍ୱାରାଣ୍ଟାଇନ୍ରେ ରହିବାକୁ ପଠାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ବରିଷ୍ଠ ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ ପୋଲିସ ପ୍ରଶାସନର ଏହି ପ୍ରବାସୀ ଓଡ଼ିଆଙ୍କୁ ସ୍ୱାଗତ କରିବା ସହ କରାଯାଇଥିବା ବସ୍ରେ ସଙ୍ଗରୋଧ ଗୃହକୁ ପଠାଯାଇଛି । ପ୍ରବାସୀ ଓଡ଼ିଆ ଆସିବାବେଳେ ଯେପରି ବାହାର ଲୋକ ନ ପଶନ୍ତି ସେଥିନିମନ୍ତେ ଅଞ୍ଚଳକୁ ୧୪୪ ଧାରା ଘୋଷଣା କରାଯାଇଥିଲା । ବର୍ତ୍ତମାନ ଜିଲ୍ଲାକୁ ପ୍ରାୟ ୧ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ଆସିଥିବା ବେଳେ ସେମାନଙ୍କୁ ୪ହଜାରରୁ ଊର୍ଦ୍ଧ୍ୱ ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପ ବା ସଙ୍ଗରୋଧ ଗୃହରେ ରଖାଯାଇଛି ।