ପିପିଲି– ପୁରୀ-ଭୁବନେଶ୍ୱର ୩୧୬ ନଂ ଜାତୀୟ ରାଜପଥର ପୁରୀ ଜିଲ୍ଲା ପିପିଲି ବ୍ଲକ୍ ଅନ୍ତର୍ଗତ ସାତଶଙ୍ଖ ସିରିଆପୁର ନିକଟ କଳିଙ୍ଗ ରୋପ୍ ଫ୍ୟାକ୍ଟ୍ରିରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଗୋଦାମରେ ଗଚ୍ଛିତ ଥିବା ଲକ୍ଷାଧିକ ଟଙ୍କା ମୂଲ୍ୟର କତା ରଶି, ପାଂପଚ୍ ଆଦି ପୋଡି ପାଉଁଶ ହୋଇଯାଇଛି । ନିଆଁରେ ଦୁଇଟି ବାଇକ୍ ଜଳି ଯାଇଛି । ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ନିଆଁ ଲାଗିଥିଲା । ଖବର ପାଇ ଅଗ୍ନିଶମ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଂଚି ଦୀର୍ଘ ୧୪ ଘଂଟାରୁ ଉର୍ଦ୍ଧ୍ୱ ସମୟ ଧରି ଅହରହ ଚେଷ୍ଟା ଜାରୀ ରଖିବା ପରେ ନିଆଁକୁ ଆୟତ କରିବାରେ ସଫଳ ହୋଇଛନ୍ତି । ସର୍ଟସର୍କିଟ୍ ରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ନିଆଁର ଧାସ ଏତେ ପ୍ରଖର ଥିଲା ଯେ, ଅଗ୍ନିଶମ କର୍ମଚାରୀ ମାନେ ଭିତରକୁ ଯାଇ ସ୍ଥିତିର ଯାଂଚ୍ କରିବା ପ୍ରାଥମିକ ପର୍ଯ୍ୟାୟରେ ସମ୍ଭବ ନଥିଲା ।
ପ୍ରଥମେ ଗୋଦାମର ତଳ ମହଲାରେ ଏହି ନିଆଁ ଲାଗିଥିଲା ଏବଂ ଚାହୁଁ ଚାହୁଁ ଉପର ମହଲାକୁ ନିଆଁ ବ୍ୟାପୀ ଥିଲା । ଆଉ ଭୀଷଣ ରୂପ ନେଇ ନିଜର ଲେଲିହାନ ତେଜରେ ସମ୍ପୂର୍ଣ୍ଣ କୋଠାକୁ କବଜା କରି ନେଇଥିଲା ।
ଏନେଇ ଅଧିକ ସୂଚନା ଦେଇ ଘଟଣାସ୍ଥଳରେ ଉପସ୍ଥିତ ଥିବା କେନ୍ଦ୍ରାଚଂଳ ଅଗ୍ନିଶମ ଅଧିକାରୀ ଭାବଗ୍ରାହୀ ଘଡ଼େଇ କହିଛନ୍ତି ଯେ, ଗତକାଲି ରାତି ପ୍ରାୟ ୧୧ଟା ଠାରୁ ନିଆଁ ଲିଭା କାର୍ଯ୍ୟ ଜାରୀ ରହିଛି । ମୋଟ୍ ୫ଟି ଦମକଳ ଓ ୩୦ କର୍ମଚାରୀ ଏହି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସର୍ଟ ସର୍କିଟ୍ ରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।
ସେହିପରି ସାକ୍ଷିଗୋପାଳ ଅଗ୍ନିଶମ କାର୍ଯ୍ୟାଳୟର ଅଧିକାରୀ ମନୋଜ କୁମାର ପାତ୍ର କହିଛନ୍ତି ଯେ, ରାତି ପ୍ରାୟ ୧୧ଟା ୧୦ ମିନିଟ୍ ସମୟରେ ଏନେଇ ଖବର ପାଇଥିଲୁ । ତୁରନ୍ତ ଘଟଣାସ୍ଥଳରେ ଆସି ପହଂଚି ଥିଲୁ । ନିଆଁ ଲିଭା କାର୍ଯ୍ୟରେ ମୋଟ୍ ୫ଟି ଦମକଳ ଗାଡି ନିୟୋଜିତ ହୋଇଛି । ସତ୍ୟବାଦୀରୁ ଦୁଇଟି, ପୁରୀରୁ ଗୋଟିଏ, ପିପିଲିରୁ ଦୁଇଟି ଦମକଳ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସେହିପରି ପାଣି ବୁହା କାର୍ଯ୍ୟରେ ଦୁଇଟି ବଡ଼ ପମ୍ପ ଓ ଦୁଇଟି ଛୋଟ ପାଣି ପମ୍ପ ବ୍ୟବହାର କରାଯାଇଛି ।
ଅନ୍ୟପକ୍ଷରେ ରୋପ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଯୋଗୁଁ ସତ୍ୟବାଦୀ ଓ ପିପିଲି ବ୍ଲକର କେତେକ ଅଂଚଳ ଦୀର୍ଘ ୧୪ ଘଂଟା ଧରି ବିଦ୍ୟୁତ ସରବରାହ ବ୍ୟାହତ ହୋଇଥିବା ଜଣାପଡିଛି ।