ଭୁବନେଶ୍ୱର– ଦିଲ୍ଲୀ ପୋଲିସ ଜରିଆରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ହୋଇଥିବା ଗଣତାନ୍ତ୍ରିକ ଆନ୍ଦୋଳନର ଛାତ୍ର ନେତା ଓ ନେତ୍ରୀମାନଙ୍କ ସମେତ ଗର୍ଭବତୀ ନାରୀନେତ୍ରୀ ସଫୁରା ଜର୍ଗାର, ଛାତ୍ର ନେତ୍ରୀ ମୀରାନ ହାଇଦର ପ୍ରମୁଖ ୩୦ ଜଣଙ୍କୁ ଜେଲରେ ରଖାଯାଇଛି । ଏହାର ପ୍ରତିବାଦରେ ଆମେ ଭାରତବାସୀ ପକ୍ଷରୁ ଭୁବନେଶ୍ୱର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
‘ଆମେ ଭାରତବାସୀ’ ତରଫରୁ ଆୟୋଜିତ ପ୍ରତିବାଦରେ ପ୍ରଫୁଲ୍ଲ ସାମନ୍ତରା, ସୁରେଶ ପ୍ରାଣିଗ୍ରାହୀ, ରବି ଦାସ, ବିଶ୍ୱପ୍ରିୟ କାନୁନଗୋ, ରାମକୃଷ୍ଣ ପଣ୍ଡା ପ୍ରମୁଖ କହିଛନ୍ତି ଯେ ଦିଲ୍ଲୀରେ ମୁସଲମାନଙ୍କ ଉପରେ ବିଜେପି ନେତା କପିଳ ମିଶ୍ର ଓ ଅନୁରାଗ ଠାକୁର ହିଂସାତ୍ମକ ଆକ୍ରମଣ ଦଙ୍ଗା ପାଇଁ ଦାୟୀ ଥିବାବେଳେ ହିଂସାର ଶିକାର ହୋଇଥିବା ବ୍ୟକ୍ତିମାନଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରାଯାଇ ଆଠ ଶହ ମୁସଲମାନଙ୍କୁ ଗିରଫ କରାଯାଇଛି । ଏହା ଅଗଣତାନ୍ତ୍ରିକ ଓ ଅମାନୁଷିକ । ଭୀମ କୋରେଗାଁ ମାମଲାରେ ଦଳିତମାନଙ୍କ ଉପରେ ଆକ୍ରମଣକାରୀଙ୍କୁ ଖଲାସ କରାଯାଇଥିବା ବେଳେ ଦଳିତମାନଙ୍କ ଅଧିକାର ପାଇଁ ଲଢ଼ୁଆ ମାନବିକ ଅଧିକାର କର୍ମୀ ସୁଧା ଭରଦ୍ୱାଜ, ବର୍ବରା ରାଓ, ଆନନ୍ଦ ତୁମୁଡତୋଡେ ପ୍ରମୁଖ ୧୧ ଜଣଙ୍କୁଜେଲରେ ରଖାଯାଇଛି । ସେହିମାନଙ୍କୁ ଖଲାସ କରିବା ଏକାନ୍ତ ଜରୁରୀବୋଲି ସେମାନେ ଦାବି କରିଛନ୍ତି ।