ମୁମ୍ବାଇ– ସାମୁଦ୍ରିକ ଝଡ଼ ‘ନିସର୍ଗ’ ବାତ୍ୟା ରୂପନେଇ ସ୍ଥଳଭାଗ ଆଡ଼କୁ ମାଡ଼ିଆସୁଛି । ଏହି ବାତ୍ୟା ଆଜି ଅପରାହ୍ନରେ ମହାରାଷ୍ଟ୍ରରେ ସ୍ଥଳଭାଗକୁ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି । ତେବେ ଦେଶର ଅଧିକାଂଶ କରୋନା ରୋଗୀ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଥିବାରୁ ସରକାର ଚିନ୍ତିତ ଥିବା ବେଳେ ବାତ୍ୟା ପୁଣି ଦାଉ ସାଜିବାକୁ ଯାଉଛି । ଫଳରେ ମହାରାଷ୍ଟ୍ର ସରକାର ପାଇଁ ଆଜି ଓ ଆସନ୍ତାକାଲି ପାଇଁ ଚ୍ୟାଲେଞ୍ଜ ହେବ । ଗତ ମାସରେ ଆରବ ସାଗରରୁ ସ୍ଥଳଭାଗ ଆଡ଼କୁ ମାଡ଼ିଆସିଥିବା ସାମୁଦ୍ରିକ ଝଡ଼ ‘ଅମ୍ପାନ’ ବହୁ କ୍ଷୟକ୍ଷତି କରିଥିଲା । ଓଡ଼ିଶାରେ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ମୟୂରଭଂଜ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ କ୍ଷୟକ୍ଷତି ହୋଇଥିବା ବେଳେ ପଶ୍ଚିମବଙ୍ଗ ଓ ବାଂଲାଦେଶରେ ଏହି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିଥିଲା । ବାତ୍ୟା ନିସର୍ଗ ମହାରାଷ୍ଟ୍ର ଲୋକଙ୍କର ଚିନ୍ତା ବଢ଼ାଇ ଦେଇଛି ।
କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁସାରେ ନିସର୍ଗ ମହାରାଷ୍ଟ୍ରର ଉପକୂଳକୁ ବୁଧବାର ଛୁଇଁବ । ଏହି ସମୟରେ ମୁମ୍ବାଇ ଓ ଅନ୍ୟ ଉପକୂଳ ଜିଲ୍ଲାଗୁଡ଼ିକରେ ପବନର ବେଗ ଘଣ୍ଟା ପିଛା ୧୦୦ରୁ ୧୧୦ କିଲୋମିଟର ରହିବ । ସେହିପରି ପ୍ରବଳ ବର୍ଷା ହେବାର ଆକଳନ କରାଯାଉଛି । ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ରାଜ୍ୟ ସହ କେନ୍ଦ୍ର ସରକାର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବୁଧବାର ଅପରାହ୍ନରେ ନିସର୍ଗ ଗୁଜୁରାଟ ଓ ମହାରାଷ୍ଟ୍ର ମଧ୍ୟରେ ହରିହରେଶ୍ୱର ଓ ଦାମନ ଅଂଚଳରେ ସ୍ଥଳଭାଗକୁ ଅତିକ୍ରମ କରିବ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଙ୍ଗଳବାର କହିଛନ୍ତି, ରାଜ୍ୟର ସମସ୍ତ ଲୋକ ସତର୍କ ରୁହନ୍ତୁ । ସେ କହିଛନ୍ତି, ରାଜ୍ୟରେ ଏପର୍ଯ୍ୟନ୍ତ ଯାହା ସାମୁଦ୍ରିକ ଝଡ଼ ଆସିଛି, ଏହା ସବୁଠାରୁ ବଡ଼ ହୋଇପାରେ । କରୋନା ଭାଇରସ ଯୋଗୁଁ ଉପୁଜିଥିବା ପରିସ୍ଥିତିକୁ ନେଇ ମୁକାବିଲା କରାଯାଉଛି । ବାତ୍ୟା ପାଇଁ ବିମାନବନ୍ଦର, ରେଳ ଷ୍ଟେସନରେ ସତର୍କତା ଅବଲମ୍ବନ କରାଯାଇଛି । ସେହିପରି ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ପ୍ରବେଶ ନ କରିବା ପାଇଁ ପରାମର୍ଶ ଦିଆଯାଇଛି ।