ବ୍ରହ୍ମପୁର: ସ୍ଥାନୀୟ ଜିଲ୍ଲା ପରିଷଦ ଭବନ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏଥିରେ ଅଧ୍ୟକ୍ଷତା କରିଥିଲେ । ଏବେ ସୁଦ୍ଧା ଜିଲ୍ଲାରେ ୨କୋଟି ୨୭ଲକ୍ଷ ୮୫୩ଶ୍ରମ ଦିବସ ସୃଷ୍ଟି ହୋଇଛି । କରୋନା ମୁକାବିଲା ପାଇଁ ହଜାର ହଜାର ଓଡ଼ିଆ ଶ୍ରମିକ ଗଞ୍ଜାମ ଜିଲ୍ଲାକୁ ଫେରିଛନ୍ତି । ଆଗକୁ ମଧ୍ୟ ଆହୁରି ଓଡ଼ିଆ ଶ୍ରମିକ ଜିଲ୍ଲାକୁ ଫେରିବାର ରହିଛି । ଏଣୁ ଏହାକୁ ଦୃଷ୍ଟିରେ ରଖି ଓଡ଼ିଆ ଶ୍ରମିକମାନଙ୍କ ଜୀବୀକା ଆର୍ଥିକ ପରିସ୍ଥିତି ସୁଧାର ଆସିବା ନିମନ୍ତେ ଏମ୍ଜିଏନ୍ଆର୍ଇଜିଏସ୍ ଯୋଜନାରେ ସେହି ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ଅଧିକା ଅଧିକା ସାମିଲ୍ କରିବାକୁ ହେବ । ଦୈନିକ ପ୍ରାୟ ୨ଲକ୍ଷ ଶ୍ରମ ଦିବସ ସୃଷ୍ଟି କରିବାର ଲକ୍ଷ୍ୟ ରଖି ଚଳିତ ଜୁନ୍ ମାସରେ ୫୬ଲକ୍ଷ ୨୬ହଜାର ୨୫୧ଶ୍ରମ ଦିବସ ସୃଷ୍ଟି କରିବାର ଲକ୍ଷ୍ୟ ରହିଛି । ଏହି ଆଧାରରେ ସମସ୍ତକୁ କାର୍ଯ୍ୟ କରିବାକୁ ହେବ ବୋଲି ଗଞ୍ଜାମ ଜିଲ୍ଲାପାଳ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି । ଆଜିକ ଦିନରେ ଜିଲ୍ଲାରେ ୮୦ରୁ ୯୦ହଜାର ଶ୍ରମ ଦିବସ ସୃଷ୍ଟି କରିବାରେ ସହାୟକ ହୋଇପାରିଛି । ଏଣୁ ଏହି ଲକ୍ଷ୍ୟ ପୂରଣ କରିବାକୁ ହେଲେ ଅଧିକାରୀ ଓ କର୍ମଚାରୀମାନେ ପଦକ୍ଷେପ ନେବାକୁ ପଡିବ । ତେବେ ଜିଲ୍ଲା ପାଇଁ ରହିଥିବା ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଂ.ସିଦ୍ଧାର୍ଥଶଙ୍କର ସ୍ୱାଇଁ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଏଥିସହ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଚଳିତ ମାସରେ ୫୦୦ରୁ ଅଧିକ ହିତାଧିକାରୀଙ୍କ ଗୃହ ନିର୍ମାଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ବୈଠକରେ ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ(ବୈଷୟିକ) ମନୋଜ କୁମାର ବେହେରା, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ଅର୍ଥ) ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ଗ୍ରାମ୍ୟ ଗୃହ ନିର୍ମାଣ) ସୌମ୍ୟରଞ୍ଜନ ହୋତା, ଜିଲ୍ଳା ପରିମଳ ମିଶନର ସଂଯୋଜକ ମହେଶ କୁମାର ତରାଇଙ୍କ ସମେତ ୨୨ଟି ବ୍ଲକ୍ର ବିଡିଓ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
Related Stories
November 26, 2024