ନୂଆଦିଲ୍ଲୀ– ଦିଲ୍ଲୀର ସମସ୍ତ ବଜାର ଖୋଲିବାକୁ ଅନୁମତି ମିଳିଛି । କିନ୍ତୁ ଏସିଆର ସର୍ବବୃହତ୍ତ ବଜାର ‘ସଦର ବଜାର’ ଖୋଲି ନାହିଁ । କାରଣ ଏଠାକାର ୧୦ ପ୍ରତିଶତ ଅଂଚଳରେ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଥିଲେ । ଏହି କାରଣରୁ ସଂପୃକ୍ତ ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା । ଦୋକାନୀମାନେ ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳଙ୍କୁ ଚିଠି ଲେଖି କହିଛନ୍ତି, ଯେଉଁଠି ରେଡ ଜୋନ ଥିଲା, ତାକୁ ଛାଡ଼ି ଅନ୍ୟ ସ୍ଥାନରେ ଦୋକାନ ଖୋଲିବାକୁ ଅନୁମତି ଦିଆଯାଉ । ଦୋକାନଗୁଡ଼ିକ ବନ୍ଦ ହୋଇଯିବାରୁ ଦୁର୍ଭିକ୍ଷ ଭଳି ପରିସ୍ଥିତିର ସମ୍ମୁଖୀନ ହେଉଛୁ ବୋଲି ଦୋକାନୀମାନେ ଚିଠିରେ ଉଲ୍ଲେଖ କରିଛନ୍ତି ।
ଲକଡାଉନ କାରଣରୁ ଦିଲ୍ଲର ବଜାର ବନ୍ଦ ଥିଲା । ସେହି ସମୟରେ ସଦର ବଜାରର ରିହାୟସୀ ଅଂଚଳରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହି କାରଣରୁ ଏହାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରି ଦିଆଯାଇଥିଲା । ବ୍ୟବସାୟୀଙ୍କ କହିବା ଅନୁସାରେ ଏହି ବଜାରରେ ପାଖାପାଖି ୫୦ ହଜାର ଦୋକାନ ଅଛି । ପୂର ଦିଲ୍ଲୀରେ ଅଡ-ଇଭେନ ଆଧାରରେ ବଜାର ଖୋଲୁଛି । ସଦର ବଜାରର ଦୋକାନୀମାନେ ମଧ୍ୟ ଦୋକାନ ଖୋଲିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।