ପୁରୀ– ଆଜି ପବିତ୍ର ଜ୍ୟୋଷ୍ଠ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥି । ଯାହାକି ରୁକ୍ମିଣୀ ହରଣ ଏକାଦଶୀ ନାମରେ ନାମିତ । ଏହି ବିଶେଷ ତିଥିରେ ମହାପ୍ରଭୁ ରୁକ୍ମିଣୀଙ୍କୁ ହରଣ କରି ବିବାହ କରିବାର ନୀତି ରହିଛି । ଆଜି ମଧ୍ୟାହ୍ନ ଧୂପ ପରେ ରୁକ୍ମିଣୀ ହରଣ ନୀତିକାନ୍ତି ବିଧି ମୁତାବକ ଆରମ୍ଭ ହୋଇଛି ।
ଏହି ସମୟରେ ମହାଲକ୍ଷ୍ମୀ ବିମଳାଙ୍କ ମନ୍ଦିରକୁ ଯାଇଥିବା ବେଳେ ଶ୍ରୀକୃଷ୍ଣ ରୂପୀ ମଦନମୋହନ ତାଙ୍କୁ ହରଣ କରିଥାନ୍ତି । ଶିଶୁପାଳ ମହାପ୍ରଭୁଙ୍କୁ ବିରୋଧ କରିବାରୁ ଶିଶୁପାଳ ଓ ଶ୍ରୀକୃଷ୍ଣ ରୂପୀ ମଦନମୋହନଙ୍କ ମଧ୍ୟରେ ଲଢ଼େଇ ହୁଏ । ଶେଷରେ ଶିଶୁପାଳଙ୍କୁ ବନ୍ଧନ କରନ୍ତି ମହାପ୍ରଭୁ । ପରବର୍ତି ସମୟରେ ଶିଶୁପାଳଙ୍କୁ ବନ୍ଧନ ମୁକ୍ତ କରନ୍ତି ମହାପ୍ରଭୁ । ଆଜି ଏହି ନୀତି ମାଜଣା ମଣ୍ଡପରେ ଅନୁଷ୍ଠିତ ହେବ ।
ଆଜି ମଙ୍ଗଳଆଳତୀ, ମଇଲମ, ତଡ଼ପଲାଗି, ଅବକାଶ, ସକାଳ ଧୂପ ପରେ ମଧ୍ୟାହ୍ନ ଧୂପ ନୀତି ଅନୁଷ୍ଠିତ ହୋଇଥିଲା । ଏହାପରେ ଆରମ୍ଭ ହୋଇଥିଲା ରୁକ୍ମିଣୀ ହରଣ ନୀତି । ମଧ୍ୟାହ୍ନ ଧୂପ ପରେ ଆଜ୍ଞାମାଳ ପ୍ରାପ୍ତ ହୋଇ ମଦନମୋହନ ବିଜେ କରିଥିଲେ । ଇତିମଧ୍ୟରେ ମା ଲକ୍ଷ୍ମୀ ଆଜ୍ଞାମାଳ ପ୍ରାପ୍ତ ହୋଇଛନ୍ତି ଶ୍ରୀଜୀଉଙ୍କ ବାମ ଭୂଜରୁ । ସେ ମହାଲକ୍ଷ୍ମୀଙ୍କ ଜଗମୋହନରେ ଉପବେଶନ କରିଛନ୍ତି ।