ମାଲକାନଗିରି– ମାଲକାନଗିରି ଜିଲ୍ଲାରେ ଆଜି ପୁଣି ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୧ କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ପ୍ରବାସୀ ଏବଂ ଏମ ଭି-୭୨ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ ବୋଲି ଜଣାପଡିଛି । ସେ ଗତ କିଛି ଦିନ ତଳେ ତାମିଲନାଡ଼ୁରୁ ଫେରିଥିଲେ । ତେବେ ସେ ସଙ୍ଗରୋଧରେ ରହିବା ମଧ୍ୟରେ ଅନ୍ୟ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ନେଇ ସୂଚନା ମିଳିଛି । ଜିଲ୍ଲାରେ ପୂର୍ବରୁ ଆକ୍ରାନ୍ତ ୨0 ଜଣଙ୍କ ମଧ୍ୟରୁ ତିନି ଜଣ ସୁସ୍ଥ ହୋଇଛନ୍ତି । ଏମଭି- ୭୨ ସଙ୍ଗରୋଧ କେନ୍ଦ୍ରରୁ ମୋଟ୍ ୧୨ ଜଣ ଚିହ୍ନଟ ହେଲେଣି ।
ଏପରି ସ୍ଥିତିରେ ଅଯଥା ଆତଙ୍କିତ ନହୋଇ ଘରେ ରହିବାକୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ମାସ୍କ ବ୍ୟବହାର ଏବଂ ବାରମ୍ବାର ହାତ ଧୋଇବାକୁ କୁହାଯାଇଛି । ଆଜି ଠାରୁ କଟକଣା କୋହଳ ହୋଇଥିବାରୁ ରାସ୍ତାଘାଟରେ ଗାଡି ଓ ଲୋକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି ।