କେନ୍ଦୁଝର– କେନ୍ଦୁଝର ଜିଲ୍ଲାର ଖଣି ଉପତ୍ୟକା ଭାବେ ପରିଚିତ ରତ୍ନଗର୍ଭା ଯୋଡା ଅଂଚଳଟି ମୂଲ୍ୟବାନ ଖଣିଜ ସଂପଦ ଉପରେ ବସିଥିବା ବେଳେ ଏହାର ଅଧିବାସୀ କିନ୍ତୁ ସବୁବେଳେ ଅବହେଳିତ । ଏବଂ ସେହି ଅବହେଳିତ ଅବସ୍ଥାରେ ବଂଚିବା ଲାଗି ଅହରହ ସଂଗ୍ରାମ କରିବାରେ ସେମାନେ ବ୍ୟସ୍ତ । ଏହି ଅଂଚଳଟି ଭୋକର ଭୂଗୋଳର କେନ୍ଦ୍ର ବିନ୍ଦୁ ବୋଲି ମଧ୍ୟ କୁହାଯାଇ ପାରେ । ଏ ଅଂଚଳର ମୂଲ୍ୟବାନ ଖଣିଜ ସଂପଦ ରାଜସ୍ୱରେ ସମଗ୍ର ରାଜ୍ୟ ରାଜକୋଶ ପରିପୃଷ୍ଠ ହେଉଥିବା ବେଳେ ଏଠାରେ ଖଣି ବ୍ୟାପାର କରି ଖଣି ଲିଜଧାରୀ ମଧ୍ୟ ମାଲେ ମାଲ । ଏହି ଅଂଚଳରୁ କୋଟି କୋଟି ଟଙ୍କାର ରାଜସ୍ୱ ଆଦାୟ ସତ୍ୱେ ଯୋଡା ସହର ମଧ୍ୟ ଅନୁରୁପ ଭାବେ ଚିର ଅବହେଳିତ ଅବସ୍ଥାରେ ନାନାଦି ସମସ୍ୟାକୁ ସାମନା କରି ଆସୁଅଛି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଆଦି ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇ ଦେବା କ୍ଷେତ୍ରରେ ମଧ୍ୟ ଉଦ୍ଦେଶ୍ୟମୂଳକ ଭାବେ ଯୋଡା ଅଂଚଳକୁ ଅବହେଳା କରାଯାଇ ଆସୁଅଛି । ଯାହାକୁ ନେଇ ବରିଷ୍ଠ ନାଗରିକ ମାନେ ତାତି ଉଠିଛନ୍ତି । ଏବଂ ପ୍ରତିବାଦ ସ୍ୱରୂପ ଯୋଡା ଅଂଚଳର ବରିଷ୍ଠ ନାଗରିକ ମାନଙ୍କ ପକ୍ଷରୁ ୭ ଦଫା ସମ୍ବଳିତ ଦାବୀ ନେଇ ସୋମବାର ଠାରୁ ଯୋଡା ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧାରଣା ଆରମ୍ଭ ହୋଇଛି । ଏଥିରେ ଯୋଡା ସହରର ସମସ୍ତ ଜନସାଧାରଣ, ବୁଦ୍ଧିଜୀବୀ, ଯୁବ ଗୋଷ୍ଠୀ, ମହିଳା ସଂଗଠନ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ବ୍ୟବସାୟୀକ ଅନୁଷ୍ଠାନ, ଯୋଡା ଟ୍ରକ୍ ମାଲିକ ସଂଘ ଓ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନେ ପୂର୍ଣ୍ଣମାତ୍ରାରେ ସହଯୋଗ କରିଛନ୍ତି ।
ଯୋଡା ପୌରପାଲିକା ସମ୍ମୁଖରେ ଧାରଣାରତ ବରିଷ୍ଠ ନାଗରିକ ମାନଙ୍କର ଦାବୀ ଗୁଡିକ ମଧ୍ୟରେ ଯୋଡା ସହର ମଧ୍ୟ ଦେଇ ଯାଇଥିବା ରାଜ୍ୟ ରାଜପଥ-୨ ର ରଣାଶାଳ ଠାରୁ ପଳାଶପଙ୍ଗା ପର୍ଯ୍ୟନ୍ତ ରାସ୍ତାର ନବୀକରଣ ଓ ପ୍ରଶସ୍ତିକରଣ କାର୍ଯ୍ୟ ତୁରନ୍ତ ଶେଷ କରିବା ସହ ମନ୍ଥରଗତିରେ ଚାଲୁଥିବା ୫୨୦ ନଂ ଜାତୀୟ ରାଜପଥର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, ବହୁ ପ୍ରତୀକ୍ଷିତ ରଣାଶାଳ ଘାଟି ଠାରୁ ବାଂଶପାଣି ପର୍ଯ୍ୟନ୍ତ ୨୦୧୧ ବର୍ଷରେ ପ୍ରସ୍ତାବିତ ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟକୁ ଯୁଦ୍ଧକାଳିନ ଭିତିିରେ ସାମାପ୍ତ କରିବା, ଘନ ଘନ ବିଜୁଳିକାଟ ବନ୍ଦ କରାଯିବା ଦିଗରେ ତୁରନ୍ତ ପ୍ରତିକାର ବ୍ୟବସ୍ଥା, ଯୋଡା ସହରକୁ ସ୍ୱଚ୍ଛ, ପର୍ଯ୍ୟାପ୍ତ ଓ ନିୟମିତ ଜଳ ଯୋଗାଣକୁ ସୁବ୍ୟବସ୍ଥିତ କରାଯିବା, କମାରଯୋଡାସ୍ଥିତ ସରକାରୀ ଡାକ୍ତରଖାନାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଏବଂ ଉଚ୍ଚ ଶିକ୍ଷା ନିମନ୍ତେ ଏକ ସାଧାରଣ ମହାବିଦ୍ୟାଳୟ ଓ ବୈଷୟିକ ଶିକ୍ଷା କେନ୍ଦ୍ର ପ୍ରତିଷ୍ଠା କରିବା ପ୍ରମୁଖ ଦାବୀ ରହିଅଛି । ଏହି ଦାବୀ ଗୁଡିକ ସରକାର ତୁରନ୍ତ ପୂରଣ ନ କଲେ ଧାରଣାକୁ ଅବ୍ୟାହତ ରଖାଯିବା ସହିତ ଆନ୍ଦୋଳନକୁ ବ୍ୟାପକ କରାଯିବାକୁ ନାଗରୀକ ମଂଚର ବରିଷ୍ଠ କର୍ମକର୍ତା ଶିରିଶ ଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି ।